Categories: ଜାତୀୟ

ମୋ ମୁଣ୍ଡ କାଟିଦିଅ ପଛେ, ମୁଁ କେନ୍ଦ୍ର ସରକାରଙ୍କ ସହ ସମାନ ଡିଏ ଦେଇପାରିବି ନାହିଁ: ମମତା

କୋଲ୍‌କାତା,୭।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଦୃଢ଼ ଜବାବ ଦେଇଛନ୍ତି। ମହଙ୍ଗା ଭତ୍ତା ବୃଦ୍ଧି ଦାବିରେ ଜିଦ୍‌ ଧରିଥିବା କର୍ମଚାରୀଙ୍କୁ ମମତା କହିଛନ୍ତି, ମୋ ମୁଣ୍ଡ କାଟିଦିଅ ପଛେ ମୁଁ କେନ୍ଦ୍ର ସରକାରଙ୍କ ସହ ସମାନ ଡିଏ ଦେଇପାରିବି ନାହିଁ। ପଶ୍ଚିମବଙ୍ଗରେ କେନ୍ଦ୍ର ସରକାରଙ୍କ ସହ ସମାନ ମହଙ୍ଗା ଭତ୍ତା ବଢ଼ାଇବା ପାଇଁ ରାଜ୍ୟ ସରକାରୀ କର୍ମଚାରୀ ବିରୋଧ ପ୍ରଦର୍ଶନ କରୁଛନ୍ତି।
ବିଧାନସଭାରେ ବଜେଟ ଅଧିବେଶନରେ ମମତା ନିଜ ମତ ରଖିଥିଲେ। କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ଦରମା ଢାଞ୍ଚାରେ ଥିବା ପାର୍ଥକ୍ୟକୁ ଉଲ୍ଲେଖ କରି ସେ କହିଛନ୍ତି, ରାଜ୍ୟରେ ଟିଏମ୍‌ସି ସରକାର ଏହାର କର୍ମଚାରୀମାନଙ୍କୁ ୧୦୫ ପ୍ରତିଶତ ଡିଏ ଦେଉଛନ୍ତି। ତୁମେ ଆଉ (ବିରୋଧ ପ୍ରଦର୍ଶନ କରୁଥିବା ସରକାରୀ କର୍ମଚାରୀ) କେତେ ଚାହୁଁଛ? ତୁମକୁ କେତେଦେଲେ ସନ୍ତୁଷ୍ଟ ହେବ? ଦୟାକରି ମୋ ମୁଣ୍ଡ କାଟିଦିଅ ଏବଂ ତା’ପରେ ଆଶା କରିବି ତୁମେ ସନ୍ତୁଷ୍ଟ ହେବ। କିନ୍ତୁ ମୁଁ କେନ୍ଦ୍ର ସହିତ ସମାନ ଡିଏ ଆଦୌ କରିବାକୁ ସମର୍ଥ ହେବିନାହିଁ।
ମମତା ବାନାର୍ଜୀ ସରକାର ଚଳିତ ବର୍ଷର ବଜେଟରେ କର୍ମଚାରୀଙ୍କ ପାଇଁ ଡିଏକୁ ତିନି ପ୍ରତିଶତ ବୃଦ୍ଧି କରିଛନ୍ତି। ଏହା ମଧ୍ୟ ଷଷ୍ଠ ବେତନ ଆୟୋଗର ସୁପାରିସ ଅନୁଯାୟୀ ମାର୍ଚ୍ଚ ୧, ୨୦୨୩ ଠାରୁ କର୍ମଚାରୀ, ପେନସନ୍‌ଭୋଗୀଙ୍କୁ ସେମାନଙ୍କ ମୂଳ ବେତନର ଛଅ ପ୍ରତିଶତ ହାରରେ ଡିଏ ପ୍ରଦାନ କରିବାକୁ ବିଜ୍ଞପ୍ତି ଜାରି କରିଛି।
ମମତା କହିଛନ୍ତି ଯେ, ରାଜ୍ୟ ସରକାର ଯଥାସମ୍ଭବ ଦେଉଛନ୍ତି। ଡିଏ ଦେବା ବାଧ୍ୟତାମୂଳକ ନୁହେଁ। କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀଙ୍କ ଦରମା ମାପ ଭିନ୍ନ ଅଟେ। ରାଜ୍ୟ ସରକାରୀ କର୍ମଚାରୀମାନେ ଅଧିକ ଛୁଟି ପାଆନ୍ତି। ଅଧିକ ଛୁଟି ପାଇବା ପାଇଁ କାମ କରନ୍ତୁ। ରାଜ୍ୟ ପାଖରେ ରିଜର୍ଭ ବ୍ୟାଙ୍କ ଅଛି କି? ଆମେ ଏପର୍ଯ୍ୟନ୍ତ କେନ୍ଦ୍ରରୁ ୧ ଲକ୍ଷ କୋଟି ଟଙ୍କା ପାଇନାହୁଁ। ଆକାଶରୁ ଟଙ୍କା ଗଳୁନାହିଁ।

Share