Categories: ଜାତୀୟ

ଇଣ୍ଡିଆ ମେଣ୍ଟ ବୈଠକରେ ମମତା ଯୋଗ ନ ଦେବା ଘଟଣା: ବୈଠକ ସମ୍ପର୍କରେ ଜାଣି ନ ଥିଲି: ମମତା

କୋଲକାତା,୭।୧୨: ବିରୋଧୀ ମେଣ୍ଟ ଇଣ୍ଡିଆର ସମନ୍ବୟ ବୈଠକ ଡିସେମ୍ବର ପ୍ରଥମ ସପ୍ତାହରେ ହେବାକୁ ଥିବାବେଳେ ୩ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନର ଶୋଚନୀୟ ପରାଜୟ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ନିର୍ବାଚନ ଲଢିବା ପୂର୍ବରୁ ଆସନ ବୁଝାମଣାକୁ ନେଇ ହୋଇଥିବା ତ୍ରୁଟି ଯୋଗୁ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ନୀତିଶ କୁମାର ଓ ଅଖିଳେଶ ଯାଦବ ଯୋଗ ଦେବାକୁ ମନା କରୁଥିବା ଚର୍ଚ୍ଚା ହୋଇଥିଲା। ହେଲେ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ମମତା।
ବୁଧବାର ଉତ୍ତର ପଶ୍ଚିମବଙ୍ଗ ଗସ୍ତରେ ଥିବାବେଳେ ମମତା କହିଛନ୍ତି, ବୈଠକ ସମ୍ପର୍କରେ ପୂର୍ବରୁ ମୁଁ ଜାଣି ନ ଥିଲି। ପରବର୍ତ୍ତୀ ସମୟରେ କଂଗ୍ରେସ ଯେତେବେଳେ ବି ଅନୁକୂଳ ତାରିଖ ବାହାର କରିବ ସେହିଦିନ ହିଁ ବିରୋଧୀ ମେଣ୍ଟ ବୈଠକ ହେବ। ବୈଠକର ପୂର୍ବଦିନ ହିଁ ରାହୁଲ ମୋତେ ଫୋନ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏବେ ସେ ଯେତେବେଳେ ସମୟ ନିର୍ଦ୍ଧାରିତ କରିବେ ବୈଠକ ଅନୁଷ୍ଠିତ ହେବ।

ମମତା ଆହୁରି କହିଛନ୍ତି, ବୈଠକ ଆୟୋଜନ କରିବା ପୂର୍ବରୁ ନିଜ ସମକକ୍ଷଙ୍କୁ ୭ରୁ ୧୦ଦିନ ପୂର୍ବରୁ ନିମନ୍ତ୍ରଣ କରାଯାଇଥାଏ। ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ମଧ୍ୟ ବିଭିନ୍ନ ପ୍ରକାର ବୈଠକ ଥାଏ। ତେଣୁ ବୈଠକ ପାଇଁ ସମୟ ନିର୍ଦ୍ଧାରଣ କରିବା ୧୦ଦିନ ପୂର୍ବରୁ ସୂଚନା ଦେବା ଆବଶ୍ୟକ।

ସୂଚନାଯୋଗ୍ୟ, ଖାର୍ଗେଙ୍କ କାଯ୍ୟାଳୟ ସମ୍ବନ୍ଧ ଓ କଂଗ୍ରେସ କାର୍ଯ୍ୟ ସମିତିର ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଗୁରଦୀପ ସପ୍ପଳ କହିଛନ୍ତି, ଇଣ୍ଡିଆ ମେଣ୍ଟର ବୈଠକ ଡିସେମ୍ବର ୩ୟ ସପ୍ତାହରେ ହେବାକୁ ଯାଉଛି। ଯେଉଁଠି ବିଭିନ୍ନ ପାର୍ଟିର ଅଧ୍ୟକ୍ଷ/ ପ୍ରମୁଖ ନେତା ଯୋଗଦେବେ। ସୁବିଧାଜନକ ସ୍ଥିତି ଓ ତାରିଖ ଦେଖି ବୈଠକର ଆୟୋଜନ କରାଯିବ।

Share