Categories: ଜାତୀୟ

TMC Vs Congress: ‘ଇଣ୍ଡିଆ’ ମହାମେଣ୍ଟର ହାତ ଛାଡ଼ି ଏକା ନିର୍ବାଚନ ଲଢ଼ିବା ପଛର କାରଣ କହିଲେ ମମତା, କଂଗ୍ରେସ ରଖିଲା ପ୍ରତିକ୍ରିୟା

କୋଲକାତା, ୨୪।୧: ବିରୋଧୀ ମହାମେଣ୍ଟ ‘ଇଣ୍ଡିଆ’କୁ ବଡ଼ ଝଟ୍‌କା ଦେଇ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଆଗାମୀ ନିର୍ବାଚନରେ ଏକାକି ଲଢ଼ିବ ବୋଲି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଅପରପକ୍ଷେ କଂଗ୍ରେସ ମମତାଙ୍କ ବିନା ମହାମେଣ୍ଟର କଳ୍ପନା ଅସମ୍ଭବ ଏବଂ ସେ ଫେରିବେ ବୋଲି ଆଶା ଥିବା କହିଛି। କାରଣ ମମତାଙ୍କ ନିଷ୍ପତ୍ତି ଅନ୍ୟ ଦଳଗୁଡ଼ିକର ଆଶା ଉପରେ ପାଣି ଢ଼ାଳିଛି।

ଏଭଳି ନିଷ୍ପତ୍ତି ପଛରେ କି କାରଣ ରହିଛି ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ମମତା କହିଛନ୍ତି, ‘ମୁଁ କଂଗ୍ରେସକୁ ସିଟ୍‌ ବଣ୍ଟନକୁ ନେଇ ପ୍ରସ୍ତାବ ଦେଇଥିଲି। ହେଲେ ଆରମ୍ଭରୁ ହିଁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ଆମ ଦଳ ଏକୁଟିଆ ଲୋକ ସଭା ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି। ’ ସେହିଭଳି ଗଣମାଧ୍ୟମରେ ଦେଖାଯାଉଥିବା ସିଟ୍‌ ବଣ୍ଟନ ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି। ଏହି ମାମଲାରେ କଂଗ୍ରେସ ସହ ତାଙ୍କର ଆଲୋଚନା ହୋଇନାହିଁ। ଏବେ ରାଜ୍ୟରେ କଂଗ୍ରେସ ସହ କୌଣସି ସମ୍ପର୍କ ରଖିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇସାରିଥିବା ସେ କହିଛନ୍ତି।

କହିରଖୁଛୁ, ଟିଏମ୍‌ସି, କଂଗ୍ରେସ ଭଳି ୨୮ ବିରୋଧୀ ଦଳ ମିଶି ‘ଇଣ୍ଡିଆ’ ମହାମେଣ୍ଟର ଅଂଶ ଅଛନ୍ତି। ଏବେ ରାହୁଲ ପଶ୍ଚିମବଙ୍ଗରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଜରିଆରେ ପଶ୍ଚିମବଙ୍ଗରେ ପ୍ରବେଶ କରିବାର ଦିନକ ପୂର୍ବରୁ ମମତାଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି।

Share