Categories: ଜାତୀୟ

ସିବିଆଇ କାର୍ଯ୍ୟାଳୟରେ ମମତା: କହିଲେ,ମତେ ବି ଗିରଫ କର…

କୋଲକାତା,୧୭।୫: ନାରଦା ଦୁର୍ନୀତି ନେଇ ପଶ୍ଚିମବଙ୍ଗରେ ସିବିଆଇ ପକ୍ଷରୁ ଚଢ଼ାଉ ଜାରି ରହିଛି। ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ମନ୍ତ୍ରୀଙ୍କ ସମେତ ୩ ନେତାଙ୍କ ଘରେ ସିବିଆଇ ଚଢ଼ାଉ କରାଯାଇଛି। ମନ୍ତ୍ରୀ ଫିରହାଦ୍‌ ହକିମ୍‌, କ୍ୟାବିନେଟ୍‌ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଟିଏମ୍‌ସି ବିଧାୟକ ମଦନ ମିତ୍ରା ଏବଂ ପୂର୍ବ ଭାଜପା ନେତା ସୋଭନ ଚାଟାର୍ଜୀଙ୍କ ଘରେ ଚଢ଼ାଉ କରାଯାଇଛି। ଏହାପରେ ସେମାନଙ୍କୁ ସିବିଆଇ ପକ୍ଷରୁ ଅଟକ ରଖାଯାଇଛି। ଏହାଯୋଗୁ ପଶ୍ଚିମବଙ୍ଗ ରାଜନୀତିରେ ପୁଣି ସଙ୍କଟ ସୃଷ୍ଟି ହେବାକୁ ଯାଉଛି। ତେବେ ତୃଣମୂଳ ନେତାଙ୍କୁ ସିବିଆଇ କାର୍ଯ୍ୟାଳୟକୁ ନିଆଯିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରେ ପହଞ୍ଚି ମତେ ଗିରଫ କର ବୋଲି କହିଛନ୍ତିି। କୋର୍ଟ ଅବା ରାଜ୍ୟ ସରକାରଙ୍କ ବିନା ନୋଟିସ୍‌ରେ ସିବିଆଇ ଏଭଳି କରି ପାରିବ ନାହିଁ ବୋଲି ସେ କହିଛନ୍ତିି। ତୃଣମୂଳ ଏମ୍‌ପି ତଥା ଆଇନଜୀବୀ କଲ୍ୟାଣ ବାନାର୍ଜୀ ମଧ୍ୟ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ରାଜ୍ୟ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ଏଭଳି ଘଟଣାକୁ ଅଣସାମ୍ବିଧାନିକ ବୋଲି କହିଛନ୍ତି। ହାଇକୋର୍ଟ ଅନୁସାରେ କୌଣସି ବିଧାୟକଙ୍କୁ ଗିରଫ କରାଯିବା ପୂର୍ବରୁ ବାଚସ୍ପତିଙ୍କ ଅନୁମତି ନିଆଯିବା ଆବଶ୍ୟକ ହେଉଥିବା ସେ କହିଛନ୍ତି। ମାତ୍ର ସିବିଆଇ ପକ୍ଷରୁ ଏଭଳି କରାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି।

Share