ମାଲାୟାଲମ ଅଭିନେତା ଶ୍ରୀନାଥ ଭାସି ଗିରଫ

କୋଚି,୨୬।୯: ମାଲାୟାଲମ ଅଭିନେତା ଶ୍ରୀନାଥ ଭାସିଙ୍କ ଅଡୁଆ ବଢ଼ିବାରେ ଲାଗିିଛି। କୋଚିରେ ମାରାଡୁ ପୋଲିସ ଅଭିନେତା ଶ୍ରୀନାଥଙ୍କୁ ଗିରଫ କରିଛି। ଏକ ସାକ୍ଷାତକାର ସମୟରେ ଅଭିନେତା ଜଣେ ମହିଳା ଆଙ୍କରଙ୍କ ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ମହିଳା ଆଙ୍କର ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା। ଏହାପରେ ପୋଲିସ ଏଫଆଇଆର୍‌ କରି ଅଭିନେତାଙ୍କୁ ଗିରଫ କରିଛି। ଶ୍ରୀନାଥଙ୍କ ଉପରେ ଆଇପିସିର ଅନେକ ଧାରା ଲାଗୁ କରାଯାଇ ବର୍ତ୍ତମାନ ତାଙ୍କର ବୟାନ ରେକର୍ଡ କରାଯାଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ସୂଚନା ଅନୁସାରେ, ଗତ ସପ୍ତାହରେ ଶ୍ରୀନାଥଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଅଭିନେତା ତାଙ୍କ ନୂତନ ଫିଲ୍ମ ‘ଛତାମ୍ବି’ର ପ୍ରମୋସନର ଏକ ସାକ୍ଷାତକାର ବେଳେ ଆଙ୍କର ଓ କ୍ର୍ୟୁ ସଦସ୍ୟଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ।

Share