ଦାନଗଦିର ଅପପୁଷ୍ଟି ପୀଡ଼ିତ ଶିଶୁ

କଟକ ଅଫିସ,୨୪ା୩: ଯାଜପୁର ଜିଲା ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ଘାଟିସାହିର ୨ ଶିଶୁ ଅପପୁଷ୍ଟିର ଶିକାର ହୋଇ କଟକ ଶିଶୁଭବନରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ବାଙ୍କୁ ହେମ୍ବ୍ରମ୍‌ ଓ ତୁଳସୀ ହେମ୍ବ୍ରମ୍‌ଙ୍କ ୪ ବର୍ଷର ଝିଅ କୁନି ହେମ୍ବ୍ରମ୍‌ ଏବଂ ୭ ମାସର ପୁଅ ରାଇସିଂ ହେମ୍ବ୍ରମ୍‌। ଗତ ୨୦ ତାରିଖରେ ଉଭୟଙ୍କୁ ସେମାନଙ୍କ ମା’ବାପା ଆଣି ଶିଶୁଭବନରେ ପହଞ୍ଚତ୍ଥିଲେ। ଏବେ ସେମାନେ ପୁରୁଣା ମେଡିସିନ୍‌ ଓ୍ବାର୍ଡରେ ଚିକିତ୍ସିତ ହେଉଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ବାଙ୍କୁ ଓ ତୁଳସୀଙ୍କର ଜନ୍ମିତ ୯ ସନ୍ତାନ ମଧ୍ୟରୁ ୭ ଝିଅ ଓ ୨ ପୁଅ। ସେମାନଙ୍କ ମଧ୍ୟରୁ ଗୋଟିଏ ପୁଅର ୫ ମାସ ତଳେ ମୃତ୍ୟୁ ହୋଇଥିଲା। ଏବେ ୮ଟି ସନ୍ତାନ ଜୀବିତ ଅଛନ୍ତି। କୁନିର ଶାରୀରିକ ଅଭିବୃଦ୍ଧି ଯେଭଳି ହେବା କଥା ହେଉନାହିଁ। ତାକୁ ଦେଖିଲେ ସେ ଅପପୁଷ୍ଟିର ଶିକାର ହୋଇଥିବା ସ୍ପଷ୍ଟ ଜାଣିହେଉଛି। ଶିଶୁ ଗର୍ଭସ୍ଥ ହେବାଠାରୁ ଆରମ୍ଭ କରି ଜନ୍ମ ଓ ବଡ଼ ହେବା ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ ହୋଇଛି। ଶିଶୁ ଓ ମା’ଙ୍କୁ ପୁଷ୍ଟିକର ଖାଦ୍ୟ, ଔଷଧ, ଟିକା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ପ୍ରଚାର କରାଯାଉଛି। ନିୟମିତ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଏପରି ସ୍ଥଳେ ଏହି ଶିଶୁ ଅପପୁଷ୍ଟିର ଶିକାର ହେବାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରଙ୍କ ବାଲ୍‌ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଏଠାରେ ଫେଲ୍‌ ମାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁଣି ୮ଟି ସନ୍ତାନକୁ ଧରି ଏହି ଦମ୍ପତି କିପରି ସଂସାର ଚଳାଉଛନ୍ତି ତାହା ବି ଚିନ୍ତାର ବିଷୟ। ସରକାର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପରିବାର ନିୟୋଜନ କାର୍ଯ୍ୟକ୍ରମ ଚାଲୁ ରଖିଥିବାବେଳେ ଏମାନେ ଯେ ସରକାରୀ ସଚେତନତାଠାରୁ ବହୁ ଦୂରରେ ତାହା ଅନୁମେୟ। ତେବେ ଶିଶୁଦ୍ୱୟ ଶିଶୁଭବନ ବେଡ୍‌ରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାବେଳେ ଆହୁରି କେତେଦିନ ଯେ ଚିକିତ୍ସିତ ହେବେ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ଶିଶୁଭବନ ଅଧୀକ୍ଷକ ଡା. ଜ୍ଞାନେନ୍ଦ୍ର ନାଥ ବେହେରା କହିଛନ୍ତି, ରାଇସିଂଙ୍କର ଶ୍ୱାସକ୍ରିୟାଜନିତ ସମସ୍ୟା ରହିଛି। ସେହିପରି ୪ ବର୍ଷ ଶିଶୁଟିର ସ୍ବାଭାବିକ ଶାରୀରିକ ଅଭିବୃଦ୍ଧି ହୋଇ ପାରୁନାହିଁ। ସେ ବୟସାନୁସାରେ ଯେଭଳି ହେବା କଥା ତାହା ହେଉନାହିଁ। ବୟସ ତୁଳନାରେ ଓଜନ ମଧ୍ୟ ଖୁବ୍‌ କମ୍‌ ରହିଛି। ତେବେ ଶିଶୁଦ୍ୱୟ ଅପପୁଷ୍ଟିରେ ପୀଡ଼ିତ ଅଛନ୍ତି କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଶିଶୁଭବନର ବିଶେଷଜ୍ଞମାନେ ବିଭିନ୍ନ ପରୀକ୍ଷା କରିବା ସହ ଚିକିତ୍ସା ଜାରି ରଖିଛନ୍ତି। ଏବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭାବେ ସୁଧୁରିବା ପର୍ଯ୍ୟନ୍ତ ସେମାନେ ଶିଶୁଭବନରେ ରହି ଚିକିତ୍ସିତ ହେବେ।