ମଲ୍ଲିପୁର-କମାରଡ଼ିହୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ସଙ୍କୁଚିତ

ପ୍ରୀତିପୁର,୧୫ା୧୦(ସୁଶାନ୍ତ ବେହୁରିଆ):ବିଞ୍ଝାରପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡର ମଙ୍ଗଳପୁର ସେକ୍ସନ ଅଧୀନ ମଲ୍ଲିପୁର-କମାରଡ଼ିହୀ ଭାୟା ଯୋଗୀମଠ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ସଙ୍କୁଚିତ ହୋଇପଡ଼ିଛି। ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଯୋଗୁ ରାସ୍ତାକୁ ଘାସ, ବେଣା ବୁଦା ଓ କଣ୍ଟା ଜାତୀୟ ଗଛ ମାଡ଼ି ଆସିଛି। ଏହି ରାସ୍ତା ଉପରେ କେଳାଙ୍ଗ, ଇଟାପଡ଼ା, ଯୋଗୀମଠ, ସହିମାଡ଼ ଏବଂ କମାରଡ଼ିହି ଗ୍ରାମର ହଜାରହଜାର ଜନସାଧାରଣ ନିର୍ଭରଶୀଳ। ହେଲେ ରାସ୍ତା ମଝିରେ ଫାଟ ଓ ଘାସ ବୁଦା ଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ଏହା ବିପଦର କାରଣ ମଧ୍ୟ ପାଲଟିଛି। ଏହି ବୁଦାମୂଳରେ ସାପ ଓ ଶିଆଳ ବସବାସ କରୁଥିବାରୁ ଦିନ ସମୟରେ ମଧ୍ୟ ଜନସାଧାରଣ ରାସ୍ତାରେ ଯାତାୟାତ କରିବାକୁ ଭୟ କରୁଛନ୍ତି। ରାସ୍ତାର ଅଧିକାଂଶ ସ୍ଥାନରେ ଗୋଡ଼ି ଓ ପିଚୁ ଉଠିଯାଇଛି। ବହୁ ସ୍ଥାନରେ ରାସ୍ତା ଦିଫାଳ ହୋଇଯାଇଛି। ୫ କି.ମି. ୫୦୦ ମିଟର ଲମ୍ବ ବିଶିଷ୍ଟ ଏହି ରାସ୍ତା ନିର୍ମାଣର ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ବିଭାଗ ପକ୍ଷରୁ ଆଦୌ ଘାସ ଚଞ୍ଛା, ପାଣି ନାଳ କଟା କିମ୍ବା ମରାମତି କରାଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ବିଭାଗ ପକ୍ଷରୁ ତୁରନ୍ତ ଏହି ରାସ୍ତାକୁ ୨ ଫୁଟ ଉଚ୍ଚ କରାଯିବା ସହିତ ଆବଶ୍ୟକ କଲଭର୍ଟ ନିର୍ମାଣ କରିବାକୁ ଜିଲାପାଳଙ୍କ ନିକଟରେ ଦାବି ହୋଇଛି। ଏସବୁ ହେଲେ ଜଳ ନିଷ୍କାସନ ହେବା ସହିତ ବନ୍ୟା ସମୟରେ ମଧ୍ୟ ଜନସାଧାରଣ ରାସ୍ତାରେ ଯାତାୟାତ କରିପାରିବେ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶେଷ ସୁତାର, ନିରାକାର ମଲ୍ଲିକ, ପ୍ରମୋଦ ବିଶ୍ୱାଳ, ବିକାଶ ପୃଷ୍ଟି, ପ୍ରଶାନ୍ତ ପଣ୍ଡା ଓ ପ୍ରତାପ କୁମାର ପଣ୍ଡା ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ସମାପ୍ତ କରାଯାଇ ରାସ୍ତା ମରାମତି କରାଯିବ।