Categories: ଜାତୀୟ

ଲାଲୁଙ୍କ ପରିବାର ପରିସରରେ ଇଡିର ଚଢାଉ, ରାଗିଲେ ଖାର୍ଗେ

ନୂଆଦିଲ୍ଲୀ,୧୧ ।୩: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର କିଛି ପରିସରରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି । ଏବେ ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ରର ମୋଦି ସରକରଙ୍କୁ ଟାର୍ଗେଟ କରିଛନ୍ତି । ଖାର୍ଗେ କହିଛନ୍ତି, ଏବେ ପାଣି ମୁଣ୍ଡ ଉପରକୁ ଚାଲିଯାଇଛି ।
ସୂଚନାଯୋଗ୍ୟ, ଇଡି ଶୁକ୍ରବାର ଚାକିରି ବଦଳରେ ଜମି ଘୋଟାଲା ମାମଲାରେ ମନି ଲଣ୍ଡରିଂ ସମ୍ବନ୍ଧିୟ ଯାଞ୍ଚ ଆଧାରରେ ବିହାରର କିଛି ସ୍ଥାନରେ ଓ ଅନ୍ୟ କିଛି ସ୍ଥାନରେ ଚଢାଉ କରିଥିଲା । ଏହାରି ଭିତରେ ଲାଲୁ ପ୍ରସାଦଙ୍କ ପରିବାର ଓ ଆରଜେଡିର ଅନ୍ୟ ନେତାଙ୍କ ପରିସରରେ ବି ଚଢାଉ କରାଯାଇଥିଲା । ଆରଜେଡି ମୁଖ୍ୟଙ୍କ ୩ ଝିଅଙ୍କ ବିଭିନ୍ନ ପରିସରରେ ବି ଚଢାଉ କରାଯାଇଥିଲା ।
ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମୋଦି ସରକାର ଏଜନ୍ସି ଗୁଡିକର ଦୂରୁପଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି । ଖାର୍ଗେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଟୁଇଟ କରିଛନ୍ତି ସେ ଲେଖିଛନ୍ତି, ଗତ ୧୪ ଘଣ୍ଟା ହେବ ମୋଦି ଜି ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଘରେ ଇଡିକୁ ବସାଇ ରଖିଛନ୍ତି । ତାଙ୍କର ଗର୍ଭବତୀ ପତ୍ନୀ ଓ ଭଉଣୀମାନଙ୍କୁ ହଇରାଣ କରାଯାଉଛି । ଲାଲୁ ପ୍ରସାଦ ଯାବଦ ଜଣେ ବରିଷ୍ଠ, ଅସୁସ୍ଥ ବ୍ୟକ୍ତି, ତଥାପି ମୋଦି ସରକାର ତାଙ୍କ ପ୍ରତି ମାନବିକତା ଦେଖାଇ ନ ଥିଲେ । ଏବେ ପାଣି ମୁଣ୍ଡ ଉପରକୁ ଚାଲିଯାଇଛି ।

Share