ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର ତର୍କବିତର୍କ ଦେଖିବାକୁ ମିଳିଛି । ରାଜ୍ୟ ସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଉତ୍ତରାଖଣ୍ଡର ହଲ୍ଦୱାନୀଠାରେ ତାଙ୍କ ରାଲି ପରେ ମଞ୍ଚ ‘ଶୁଦ୍ଧିକରଣ’ କରାଯାଇଥିବା ପ୍ରସଙ୍ଗ ଉଠାଇଥିଲେ । ଏହାକୁ ନେଇ ସଦନରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟ ସଭାରେ ନିଜର ମତ ରଖି ମଲ୍ଲିକାର୍ଜୁନ ଖର୍ଗେ କହିଥିଲେ ଯେ, ସେ ୮ ଅଗଷ୍ଟରେ ହଲ୍ଦୱାନୀର ରାମଲୀଳା ମଇଦାନରେ ଏକ ବିରାଟ ଜନସଭାକୁ ସମ୍ବୋଧିତ କରିଥିଲେ, ଯେଉଁଥିରେ ଲକ୍ଷାଧିକ ଲୋକ ଉପସ୍ଥିତ ଥିଲେ।
ସେ ସେଠାରେ କୌଣସି ଧର୍ମ କିମ୍ବା ସମ୍ପ୍ରଦାୟ ବିରୋଧରେ କିଛି କହି ନଥିଲେ, ବରଂ କେବଳ ଜନସାଧାରଣଙ୍କ ସମସ୍ୟା ଏବଂ ସରକାରୀ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। କିନ୍ତୁ ତାଙ୍କ ଭାଷଣ ପରେ, ଭାଜପା ସହ ଜଡିତ କିଛି ବ୍ୟକ୍ତି ସେହି ମଞ୍ଚରେ ଗଙ୍ଗାଜଳ ଛିଞ୍ଚି ଏବଂ ହୋମ କରି ‘ଶୁଦ୍ଧିକରଣ’ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଏହାକୁ ଏକ ଅଛୂତ ଭାବନା ଏବଂ ଦଳିତ ସମୁଦାୟ ପ୍ରତି ଅପମାନ ବୋଲି ଦର୍ଶାଇ ଖର୍ଗେ କହିଥିଲେ ଯେ, ଗଣତନ୍ତ୍ରରେ ଏଭଳି ଆଚରଣ କଦାପି ଗ୍ରହଣୀୟ ନୁହେଁ । ଖାର୍ଗେଙ୍କ ଏହି ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏଭଳି ଘଟଣା ଅତ୍ୟନ୍ତ ଦୁଃଖଦ ଏବଂ ଚିନ୍ତାଜନକ ଅଟେ । ତେବେ ଏଥିରେ ଭାଜପାର ସମ୍ପୃକ୍ତିକୁ ଅସ୍ୱୀକାର କରି ନଡ୍ଡା ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଏଭଳି କୌଣସି କାର୍ଯ୍ୟକଳାପକୁ ସମର୍ଥନ କରେ ନାହିଁ ।
ତଥାପି, ଏହି ବିଷୟରେ ଗମ୍ଭୀରତାକୁ ଦୃଷ୍ଟିରେ ରଖି ସରକାର ଏହାର ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ଏବଂ ସତ୍ୟ ସାମ୍ନାକୁ ଆଣିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମଗ୍ର ବିବାଦ ମଧ୍ୟରେ ରାଜ୍ୟ ସଭା ଅଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନ କହିଛନ୍ତି ଯେ, ଅସ୍ପୃଶ୍ୟତା କିମ୍ବା ଏହିପରି ଭେଦଭାବକୁ କୌଣସି ବିଚାରଧାରା କିମ୍ବା ଦଳର ସ୍ତରରେ ବରଦାଷ୍ଟ କରାଯିବ ନାହିଁ । ସେ ସରକାରଙ୍କୁ ଏହି ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।