Categories: ଜାତୀୟ

#Maldivesboycott : ମୋଦି ପ୍ରତିଟି କାର୍ଯ୍ୟକୁ ନିଜର ବ୍ୟକ୍ତିଗତ କରୁଥିବା କହିଲେ ଖାର୍ଗେ…

ନୂଆଦିଲ୍ଲୀ,୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମାଳଦ୍ୱୀପର ମନ୍ତ୍ରୀମାନେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି, ଯାହା ବିରୋଧରେ ଦେଶର ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ନାଶିଦ ଏବଂ ଅନ୍ୟ ରାଜନୈତିକ ଦଳ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ନ୍ୟୁଜ ଏଜେନ୍ସି ଅନୁଯାୟୀ ମଲ୍ଲିକାର୍ଜୁନ ମଙ୍ଗଳବାର କହିଛନ୍ତି ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦି ସବୁକିଛି ବ୍ୟକ୍ତିଗତ ଭାବେ ନେଉଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବା ଉଚିତ। ଆମେ ଆମର ପଡ଼ୋଶୀମାନଙ୍କୁ ପରିବର୍ତ୍ତନ କରିପାରିବା ନାହିଁ।

ଏହାପୂର୍ବରୁ ଏନସିପି ନେତା ଶରଦ ପାୱାର ମାଳଦ୍ୱୀପ ମନ୍ତ୍ରୀଙ୍କ ପିଏମ ମୋଦିଙ୍କ ଉପରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନିନ୍ଦା କରଥିଲେ। ପ୍ରଧାନମନ୍ତ୍ରୀ ପଦକୁ ସମ୍ମାନ ଦିଆଯିବା ଉଚିତ ବୋଲି ସେ କହିଥିଲେ। ମୋଦି ଆମ ଦେଶର ପ୍ରଧାନମନ୍ତ୍ରୀ। ଯଦି ଅନ୍ୟ ଦେଶର କେହି ଆମ ପ୍ରଧାନମନ୍ତ୍ରୀଙ୍କ ଉପରେ ଏପରି ମନ୍ତବ୍ୟ ଦିଅନ୍ତି, ତେବେ ଆମେ ଏହାକୁ ସହ୍ୟ କରିବୁ ନାହିଁ। ଆମ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେଶ ବାହାରେ କୌଣସି ଜିନିଷକୁ ଆମେ ବରଦାସ୍ତ କରିବୁ ନାହିଁ।

ସୂଚନାଯୋଗ୍ୟ ଲାକ୍ଷାଦ୍ୱୀପ ଗସ୍ତକୁ ପରିହାସ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ମାଳଦ୍ୱୀପର ତିନିଜଣ ମନ୍ତ୍ରୀ ମାଲଶା ସରିଫ, ମରିୟମ ଶିଆନା ଏବଂ ଅବଦୁଲ୍ଲା ମହଜୁମ ମାଜିଦ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଶାସକ ଦଳର ନେତା ଜାହିଦ ରମିଜ କହଥିଲେ ପର୍ଯ୍ୟଟନ କ୍ଷେତ୍ରରେ ମାଳଦ୍ୱୀପ ପରି ଭାରତ ସୁବିଧା ଯୋଗାଇ ପାରିବ ନାହିଁ। ସେମାନଙ୍କ ହୋଟେଲ ରୁମ୍‌ରୁ ଦୁର୍ଗନ୍ଧ ବାହାରିଥାଏ। ତେବେ ଭାରତ ଏହି ମନ୍ତବ୍ୟକୁ ଗମ୍ଭୀରତାର ସହ ନେଇଛି।

 

Share