ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ବୟାନ ପରେ ଭାରତ କ୍ଷୁବ୍ଧ, ମାଳଦ୍ଵୀପ ହାଇକମିଶନଙ୍କୁ ସମନ

ନୂଆଦିଲ୍ଲୀ,୮ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆପତ୍ତିଜନକ ବୟାନ ଦେବା ମାଳଦ୍ଵୀପ ଉପରେ ଭାରି ପଡ଼ିଛି। ପ୍ରଥମେ ସୋସିଆଲ ମିଡିଆରେ ମାଳଦ୍ଵୀପକୁ ବଏକଟ କରିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଥିଲା, ଏହା ପରେ ଅଗ୍ରଣୀ ଭାରତୀୟ ଟ୍ରାଭେଲ କମ୍ପାନୀଗୁଡିକ ମାଲଦ୍ୱୀପକୁ ବିମାନ ଏବଂ ହୋଟେଲ ବୁକିଂ ବାତିଲ କରିଦେଇଥିଲେ ଏବଂ ବର୍ତ୍ତମାନ ଭାରତ ସରକାର ଏବେ ମାଳଦ୍ଵୀପର ହାଇ କମିଶନରଙ୍କୁ ସମନ କରିଛନ୍ତି।

ମାଳଦ୍ଵୀପର ମହିଳା ମନ୍ତ୍ରୀ ମରିୟମ ଶିଆନା ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ମାଳଦ୍ଵୀପର ମହମ୍ମଦ ମୁଇଜୋ ସରକାରଙ୍କ ସହ ଭାରତ ଏହି ପ୍ରସଙ୍ଗ ଉଠାଇଥିଲା। ମାଲେ ରେ ଭାରତୀୟ ଉଚ୍ଚ କମିଶନର ମନ୍ତ୍ରୀଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରିଥିଲେ। ଭାରତର ଆପତ୍ତି ପରେ ମାଳଦ୍ଵୀପ ସରକାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଏହା ସେମାନଙ୍କର ବ୍ୟକ୍ତିଗତ ମତ। ମନ୍ତ୍ରୀଙ୍କ ମନ୍ତବ୍ୟ ମାଳଦ୍ଵୀପ ସରକାରଙ୍କ ମତକୁ ସମର୍ଥନ କରୁନାହିଁ।

ପରେ ଭାରତର ଦୃଢ଼ ଆପତ୍ତି ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ମାଳଦ୍ଵୀପ ସରକାର ମନ୍ତ୍ରୀ ମରିୟମ ଶିଆନା ଏବଂ ମାଲଶା ସରିଫ ଏବଂ ମହଜୁମ ମଜିଦଙ୍କୁ ନିଲମ୍ବିତ କରିଛନ୍ତି। ମାଳଦ୍ଵୀପ ସରକାରୀ ମୁଖପାତ୍ର ମନ୍ତ୍ରୀ ଇବ୍ରାହିମ ଖଲିଲ କହିଛନ୍ତି ଯେ ବିବାଦୀୟ ମନ୍ତବ୍ୟ ପାଇଁ ତୁରନ୍ତ ତିନିଜଣ ମନ୍ତ୍ରୀଙ୍କୁ ସେମାନଙ୍କ ପଦରୁ ନିଲମ୍ବିତ କରାଯାଇଛି।

Share