ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ ବୈଠକ କରିଛନ୍ତି। ଏହି ବୈଠକର ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେମାନଙ୍କୁ ଆଲୋଚନା କରୁଥିବାର ଦେଖିବାକୁ ମିଳୁଛି।
ସେପ୍ଟେମ୍ବର ୧୨ ଓ ୧୩ ରେ ଭାରତ ଦ୍ୱାରା ଆୟୋଜିତ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଅନୱର ନୂଆଦିଲ୍ଲୀ ଗସ୍ତରେ ଥିବା ସମୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ରିକ୍ସର ସମ୍ପ୍ରସାରଣ ପରେ ମାଲେସିଆ ଏହି ଗୋଷ୍ଠୀର ଅଂଶୀଦାର ଦେଶଗୁଡ଼ିକ ମଧ୍ୟରେ ସାମିଲ ହୋଇଛି।
ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ୨୦୨୪ ମସିହାରେ ଭାରତ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିଥିଲେ। ଏକ ନ୍ୟୁଜ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ମାଲେସିଆର ପ୍ରଧାନମନ୍ତ୍ରୀ ଏହି ସାକ୍ଷାତକୁ ଏକ ଭଲ ସାକ୍ଷାତ ବୋଲି ବର୍ଣ୍ଣନା କରିବା ସହ ସେମାନେ ପାରିବାରିକ ବନ୍ଧୁ ବୋଲି ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ସେ ତାଙ୍କୁ ସମସ୍ତ ପକ୍ଷ ସହିତ ଯୋଗାଯୋଗ ବଜାୟ ରଖିବାର ଆବଶ୍ୟକତା ବିଷୟରେ କହିଥିଲେ।
ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହି ବୈଠକ ସମୟରେ ଉଭୟ ନେତା ପ୍ରତିରକ୍ଷା, ବାଣିଜ୍ୟ, ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଏବଂ ସେମିକଣ୍ଡକ୍ଟର ଭଳି କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଏ ସମ୍ପର୍କରେ ଏକ ବିବୃତି ଜାରି କରିଛି।
ପ୍ରଧାନମନ୍ତ୍ରୀ ମୋଦି ଭାରତରେ ପ୍ରଧାନମନ୍ତ୍ରୀ ଇବ୍ରାହିମଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ ଏବଂ ‘ବ୍ରିକ୍ସ’ (BRICS) ସମ୍ମିଳନୀରେ ଏକ ଅଂଶୀଦାର ଦେଶ ଭାବରେ ମାଲେସିଆର ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ। ଉଭୟ ନେତା ଫେବୃଆରୀ ୨୦୨୬ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତର ଫଳାଫଳ ଉପରେ ଆଲୋଚନା କରିଥିଲେ ଏବଂ ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା ଓ ସୁରକ୍ଷା, ସେମିକଣ୍ଡକ୍ଟର, ଭିତ୍ତିଭୂମି, ଡିଜିଟାଲ ଅର୍ଥନୀତି, ଶକ୍ତି, ଫିନ୍ଟେକ (fintech), ଶିକ୍ଷା, ପର୍ଯ୍ୟଟନ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ସାବାହର କୋଟା କିନାବାଲୁଠାରେ ଏକ ଭାରତୀୟ କନସୁଲେଟ ଖୋଲିବା ପାଇଁ ମାଲେସିଆର ସହମତି ପ୍ରଦାନ କରିଥିଲେ।
୧୮ତମ ‘ବ୍ରିକ୍ସ’ ସମ୍ମିଳନୀରେ ଯୋଗଦେବା ପାଇଁ ମାଲେସିଆର ପ୍ରଧାନମନ୍ତ୍ରୀ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଥିଲେ। ନିଜ ଗସ୍ତ ସମୟରେ, ମାଲେସିଆର ପ୍ରଧାନମନ୍ତ୍ରୀ ଭାରତର ଗ୍ରାଣ୍ଡ ମୁଫ୍ତିଙ୍କୁ ଭେଟିବା ପାଇଁ କେରଳ ଗସ୍ତ କରିବେ।

