ହୋଟେଲ ପାର୍କିଂରେ ଥିବା କାର୍‌ରୁ ମିଳିଲା ଲୋକପ୍ରିୟ ଅଭିନେତାଙ୍କ ମୃତଦେହ, ପ୍ରଶଂସକ ସ୍ତବ୍ଧ

ମାଲାୟାଲମ ସିନେମାଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଅଭିନେତା ବିନୋଦ ଥୋମସଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଏକ ହୋଟେଲ ପାର୍କିଂରେ ଥିବା କାର୍‌ରୁ ତାଙ୍କ ମୃତଦେହ ଜବତ କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛି।

ତେବେ ହେଟେଲ ପାର୍କିଂରେ ଥିବା କାର୍‌ରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ହେଲାଣି ରହିଛନ୍ତି ବୋଲି ପୋଲିସକୁ ଖବର ମିଳିଥିଲା। ପରେ ପୋଲିସ ସେଠାରେ ପହଞ୍ଚି ଅଭିନେତାଙ୍କୁ କାରରୁ ବାହାର କରିଥିଲା। ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ବିନୋଦଙ୍କ ମୃତ୍ୟୁ ଘଟିଥିଲା। ଏବେ ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।

ବିନୋଦଙ୍କ ଅଭିନୟ ଜୀବନ ବିଷୟରେ କଥା ହେଲେ ସେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ସେଥିରେ ରହିଛି ‘ଅୟପ୍ପନମ କୋଶ୍ୟୁମ’ ‘ନାଥୋଲି ଔରୁ ଚେରିୟା ମିନଲ୍ଲା’, ‘ଔରୁ ମୁରାଇ ବନ୍ଥ’, ‘ହାପି ଓ୍ବେଡିଂ’ ଏବଂ ‘ଜୁନ୍‌’ ଭଳି ଫିଲ୍ମ। ସବୁଥିରେ ଦମଦାର୍‌ ଅଭିନୟ ଲାଗି ସେ ପରିଚିତ ଥିଲେ। ଏବେ ତାଙ୍କର ହଠାତ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ସମେତ ପରିବାରଲୋକେ ଭାଙ୍ଗି ପଡ଼ିଛନ୍ତି। କେହି ବି ଏହି ଘଟଣାକୁ ବିଶ୍ୱାସ କରିପାରୁନାହାନ୍ତି।

Share