୨୦୨୭ ସୁଦ୍ଧା ମ୍ୟାଲେରିଆମୁକ୍ତ ଓଡ଼ିଶା ଲକ୍ଷ୍ୟ

ଭୁବନେଶ୍ବର,୩ା୯(ଅଭିଜିତ ଦାସ)ରାଜ୍ୟରେ ମ୍ୟାଲେରିଆ ପରୀକ୍ଷଣ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଜାତୀୟ ହାର ତୁଳନାରେ ଉଭୟ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୨୦୩୦ ସୁଦ୍ଧା ମ୍ୟାଲେରିଆମୁକ୍ତ ବିଶ୍ୱ ପାଇଁ ଲକ୍ଷ୍ୟ ରଖିଥିବାବେଳେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ୨୦୨୭ ସୁଦ୍ଧା ଓଡ଼ିଶାକୁ ମ୍ୟାଲେରିଆମୁକ୍ତ କରିବାକୁ ଲାଗିପଡିଛି। ଫଳରେ ୨୦୧୬ରୁ ୨୦୨୨ ମଧ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ପ୍ରାୟ ୯୫ ପ୍ରତିଶତ ହ୍ରାସ ପାଇଛି। ସେହିପରି ଗତ ୭ ବର୍ଷରେ ମ୍ୟାଲେରିଆଜନିତ ମୃତ୍ୟୁସଂଖ୍ୟା ୧୪୦ ରହିଥିବାବେଳେ ଏହି ହାରକୁ କମାଇବା ପାଇଁ ତୃଣମୂଳସ୍ତରରୁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବ୍ୟାପକ କାର୍ଯ୍ୟକ୍ରମ ଜାରି ରହିଛି। ଆଶାକର୍ମୀ ସଚେତନତା ସୃଷ୍ଟି କରିବା ସହିତ ଔଷଧ ପ୍ରଦାନ କରୁଛନ୍ତି। ସଚେତନତା କାର୍ଯ୍ୟକ୍ରମ ‘ଦମନ’କୁ ବ୍ୟାପକ କରାଯାଇଥିବାବେଳେ ଉନ୍ନତ ଚିକିତ୍ସା ପଦ୍ଧତି ଏହି ସଫଳତା ପାଇଁ ବାଟ କଢ଼ାଉଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାଛଡ଼ା ୨୦୨୪-୨୫ ବର୍ଷ ପାଇଁ ରାଜ୍ୟ ସରକାର ୧.୬୫ କୋଟି ଔଷଧୀୟ ମଶାରି ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କୁ ଯୋଗାଯୋଗ କରାଯାଇଛି। ବିଶେଷକରି ଦକ୍ଷିଣ ଓଡିଶା ଜିଲାଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବାରୁ ସେସବୁ ଜିଲାଗୁଡ଼ିକରେ ମାଇକ୍ରୋପ୍ଲାନିଂ କରାଯାଇ ମ୍ୟାଲେରିଆ ସଂକ୍ରମଣକୁ ନିୟନ୍ତ୍ରଣ କରାଯିବ ବୋଲି ରାଜ୍ୟ ଭିବିଡିର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଶୁଭାଶିଷ ମହାନ୍ତି କହିଛନ୍ତି।
ବିଶ୍ବର ୧୦୩ ରାଷ୍ଟ୍ରରେ ମ୍ୟାଲେରିଆ ବୃଦ୍ଧି ପାଉଥିବାବେଳେ ରାଜ୍ୟର ସ୍ଥିତି ଜାଣିବା ପାଇଁ ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଏକ ଦଳ ଓଡିଶା ଆସି ତଦାରଖ କରିଥିଲା। ବର୍ତ୍ତମାନ ରାଜ୍ୟର ମାଲକାନଗିରି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, କନ୍ଧମାଳ ଏବଂ ବୌଦ୍ଧ ଜିଲାରେ ଲୋକ ଅଧିକ ସଂକ୍ରମିତ ହେଉଥିବାବେଳେ ସ୍ବାସ୍ଥ୍ୟ ବିଭାଗ ତାହା ଉପରେ ନଜର ରଖିଛି। ଏହି ଅଞ୍ଚଳରୁ ପ୍ରାୟ ୮୫ ପ୍ରତିଶତ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦମନ କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହିତ ମିଶି ମ୍ୟାଲେରିଆ ସଚେତନତା କାର୍ଯ୍ୟ କରାଯାଉଛି। ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ‘ମ୍ୟାଲେରିଆ ନୋ ମୋର୍‌ (ଏମ୍‌ଏନ୍‌ଏମ୍‌)’ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏଥିସହ ପ୍ରାୟ ୪୮ ହଜାରରୁ ଅଧିକ ଆଶାକର୍ମୀ ଘରକୁ ଘର ବୁଲି ସଚେତନ କରିବା ସହିତ ଲୋକକଳା ମାଧ୍ୟମରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ସଚେତନତା ଜାରି ରହିଛି।