Categories: ଜାତୀୟ

ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା, ରାଜ୍ୟକୁ ଭାଜପାକୁ ହସ୍ତାନ୍ତର କରିବା ସହ ସମାନ: ଗେହଲଟ ଗୋଷ୍ଠୀ

ଜୟପୁର,୨୮।୯: ରାଜସ୍ଥାନରେ କଂଗ୍ରେସରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାମ ସାମ୍ନାକୁ ଆସିବା ପରେ ଦଳରେ କନ୍ଦଳ ସୃଷ୍ଟି ହୋଇଥିଲା। ଗେହଲଟଙ୍କ ସମର୍ଥକ ବିଧାୟକମାନେ ବିଦ୍ରୋହ କରିଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ରାଜସ୍ଥାନ ମନ୍ତ୍ରୀ ତଥା ଅଶୋକ ଗେହଲଟଙ୍କ ବିଶ୍ୱସ୍ତ ପ୍ରତାପ ସିଂ ଖଚରାରିଓ୍ବାସଙ୍କ ଏକ ବଡ଼ ମନ୍ତବ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି, ସଚିନ ପାଇଲଟଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରିବା ଅର୍ଥ ରାଜ୍ୟକୁ ଭାଜପାକୁ ହସ୍ତାନ୍ତର କରିବା। ଏନେଇ ପ୍ରତାପ ସିଂହ ଏକ ଖବରଦାତା ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି। ଗେହଲଟ ଦିଲ୍ଲୀ ଯିବା ପରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ଅର୍ଥ ରାଜ୍ୟକୁ ଭାଜପାକୁ ହସ୍ତାନ୍ତର କରିବା ଭଳି ହେବ। କାରଣ ରାଜ୍ୟରେ ସିବିଆଇ, ଇଡି ଓ ଆୟକର ବିଭାଗର ଅଧିକାରୀମାନେ କୁଣ୍ଡଳୀ ମାରି ବସିଛନ୍ତି। ଅନ୍ୟପଟେ ଭାଜପା ରାଜସ୍ଥାନ ସରକାରଙ୍କୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରୁଛି। ଏଭଳି ପରିସ୍ଥିତିରେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ବିପଦଜ୍ଜନକ ରହିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଗାନ୍ଧୀ ପରିବାର ତାଙ୍କ ବିଶ୍ୱସ୍ତଙ୍କ ବିଦ୍ରୋହକୁ ନେଇ ଗେହଲଟଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। କଂଗ୍ରେସ ବିଧାୟକ ଦଳର ବୈଠକକୁ ବହିଷ୍କାର କରିବା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହାଇକମାଣ୍ଡ ଗେହଲଟ ଗୋଷ୍ଠୀର ୩ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

Share