Categories: ଜାତୀୟ

ସହଜରେ ବୁଝିହେବା ଭଳି ରାୟ ଦିଅ

ନୂଆଦିଲ୍ଲୀ,୯।୯: ଗୋଟିଏ ରାୟରୁ ବିଚାରପତିଙ୍କ ବ୍ୟକ୍ତିତ୍ୱ ପ୍ରତିଫଳିତ ହୋଇଥାଏ। ରାୟ ଲେଖିବା ଏକ କଳା, ଯହିଁରେ ଆଇନ ଓ ଯୁକ୍ତିର ନିପୁଣ ବ୍ୟବହାର ଜରୁରୀ। ତେଣୁ ହାଇକୋର୍ଟ ବିଚାରପତିମାନେ ଦେଉଥିବା ରାୟକୁ ସେମାନେ ଏପରି ଢଙ୍ଗରେ ଲେଖିବା ଉଚିତ, ଯାହାକୁ ସହଜରେ ପଢ଼ି ବୁଝି ହେଉଥିବ। ରାୟ ସ୍ପଷ୍ଟ, ନିର୍ଦ୍ଦିଷ୍ଟ ଓ ସଂକ୍ଷିପ୍ତ ହେବା ଆବଶ୍ୟକ। ଏହାର ନିଷ୍କର୍ଷ ରେକର୍ଡ ଆଧାରିତ ଯୁକ୍ତିସଙ୍ଗତ ହୋଇଥିବା ଦରକାର ବୋଲି ହାଇକୋର୍ଟ ବିଚାରପତିମାନଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି।
କେତେକ ହାଇକୋର୍ଟର ବିଚାରପତିମାନେ ଲେଖୁଥିବା ରାୟକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଚାରପତିମାନେ ଏପରି ରାୟ ଦେବା ଉଚିତ ଯେମିତି କି ତାହା ସ୍ପଷ୍ଟ ଭାବେ ବୁଝି ହେଉଥିବ। ତାହା ଆଇନ ଓ ତଥ୍ୟ ସମ୍ବଳିତ ସଂକ୍ଷିପ୍ତ ରାୟ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।
ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଉତ୍ତର ପ୍ରଦେଶର ୫ ଦୋଷୀଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ଜାମିନ ଦେଇଥିଲେ। ଶକୁନ୍ତଳା ଶୁକ୍ଳା ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏମ୍‌.ଆର୍‌. ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ରାୟରେ କୌଣସି ସ୍ପଷ୍ଟତା ନ ଥିବା ଦର୍ଶାଇ ତାକୁ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ବିଚାରପତିମାନେ ନିଜ ରାୟରେ ଯାହା ଜଣାଇବାକୁ ଚାହୁଁଛନ୍ତି, ତାକୁ ପ୍ରଶଂସା କରିହେଉନାହିଁ। ମାମଲାର ପୁନର୍ବିଚାର ପାଇଁ ଶୀର୍ଷ ଅଦାଲତ ରେସ୍‌ ରେକର୍ଡ ମଗାଇବାକୁ ବାଧ୍ୟ ହେଉଛନ୍ତି।
ବିଚାରପତିମାନଙ୍କ ଉପରେ ମାମଲାର ବୋଝ ଅଧିକ ଥାଇପାରେ ବୋଲି ସୁପ୍ରିମକୋର୍ଟ ସହମତ ହୋଇଛନ୍ତି। କିନ୍ତୁ ତା’ ସହ କହିଛନ୍ତି, ପରିମାଣ ପାଇଁ ଗୁଣବତ୍ତାକୁ ବଳି ଦିଆଯାଇପାରିବ ନାହିଁ। ରାୟ କିପରି ଲେଖାଯିବା ଦରକାର ଓ ସେଥିରେ କ’ଣ ରହିବା ଉଚିତ ତାହା ବି ସୁପ୍ରିମକୋର୍ଟ ବୁଝାଇବେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଖଣ୍ଡପୀଠ ଆହୁରି କହିଛନ୍ତି, ଏକ ରାୟ ବୋଧଗମ୍ୟ, ବ୍ୟବସ୍ଥିତ ଓ ଯୁକ୍ତିସଙ୍ଗତ ହେବା ଉଚିତ। ଏହାକୁ ପଢ଼ିଲେ ଆଇନଗତ ସିଦ୍ଧାନ୍ତ ଆଧାରରେ ଏକ ଯୁକ୍ତିଯୁକ୍ତ ନିଷ୍କର୍ଷରେ ପହଞ୍ଚତ୍ ହେଉଥିବା ଦରକାର। ଖଣ୍ଡପୀଠ ଆହୁରି କହିଛନ୍ତି, ଜଜ୍‌ମେଣ୍ଟର ଅର୍ଥ ହେଉଛି ଏକ ନ୍ୟାୟିକ ମତ, ଯାହା ସମ୍ପୃକ୍ତ ମାମଲାର କାହାଣୀକୁ ବୟାନ କରିଥାଏ। ମାମଲା କ’ଣ ଏବଂ କୋର୍ଟ ତାକୁ କିପରି ଓ କାହିଁକି ଫଇସଲା କରୁଛନ୍ତି, ସେସବୁ ରାୟରୁ ହିଁ ଜଣାପଡ଼ିଥାଏ।

 

Share