‘ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବି ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରନ୍ତୁ’

ଭୁବନେଶ୍ୱର,୨ା୬(ବ୍ୟୁରୋ): ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁବାର ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ପଞ୍ଚାୟତର କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପଞ୍ଚାୟତ ହେଉଛି ସେବାର କେନ୍ଦ୍ର । ସାଧାରଣ ଲୋକ ସରକାରୀ ସେବା ପାଇବାରୁ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପଞ୍ଚାୟତ ପ୍ରତିନିଧିଙ୍କୁ ପରାମର୍ଶ ଦେଇଛନ୍ତି। ଲୋକଙ୍କ ସୁଖଦୁଃଖରେ ସାଥୀରେ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ନିଜ କାମ ଦ୍ବାରା ଗ୍ରାମବାସୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରନ୍ତୁ ଏବଂ ଏପରି କାମ କରନ୍ତୁ ଗାଁ ଓ ପଞ୍ଚାୟତ ଯେପରି ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବ। ଗ୍ରାମବାସୀଙ୍କ ଆସ୍ଥା ଓ ଭରସା ରକ୍ଷା କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲା ପରିଷଦ ସଭାପତି, ଉପସଭାପତିଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ପ୍ରତ୍ୟେକ ବ୍ଲକରୁ ଜଣେ ସରପଞ୍ଚ ଉପସ୍ଥିତ ଥିଲେ। ଏଥିରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମିଶନ ଶକ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।