ଦ୍ରୌପଦୀଙ୍କୁ ସମର୍ଥନ କରିବେ ମକରନ୍ଦ

ଭୁବନେଶ୍ୱର,୬ା୭(ବ୍ୟୁରୋ): ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଭାଜପା ସମର୍ଥିତ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କୁ ସମର୍ଥନ ଦେବା ଲାଗି ଘୋଷଣା କରିସାରିଛନ୍ତି। ସେହି କ୍ରମରେ ରାୟଗଡ଼ା ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ମଙ୍ଗଳବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ମକରନ୍ଦଙ୍କୁ କହିଛନ୍ତି, ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଝିଅ। ଓଡ଼ିଶାର ସ୍ବାଭିମାନ। ତାଙ୍କ ପାଇଁ ପ୍ରତ୍ୟେକ ଓଡ଼ିଆ ଗର୍ବିତ। ଓଡ଼ିଶାର ସବୁ ଭୋଟ ତାଙ୍କ ପାଖକୁ ଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ତାଙ୍କୁ ଭୋଟ ଦେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ମକରନ୍ଦ କହିଛନ୍ତି, ମୁର୍ମୁ ଆମ ଆଦିବାସୀ ସମାଜର ଗର୍ବ ଓ ଗୌରବ। ତାଙ୍କୁ ସମର୍ଥନ ଦେଇ ସେ ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ଓଡ଼ିଆ ମହିଳାଙ୍କୁ ସମର୍ଥନ ଦେବା କଥାକୁ ମକରନ୍ଦ ପ୍ରଶଂସା କରିଛନ୍ତି। ଆହୁରି କହିଛନ୍ତି, ସ୍ବାଧୀନତା ପରେ ଦ୍ରୌପଦୀ ଦେଶର ଜଣେ ଆଦିବାସୀ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ରାଜ୍ୟ ପାଇଁ ସୌଭାଗ୍ୟର ବିଷୟ।
ସେହିପରି ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ମଧ୍ୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ସାକ୍ଷାତକରି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ନରସିଂହଙ୍କୁ ଭେଟିବା ପରେ ପ୍ରଣବ କହିଛନ୍ତି, ଜଣେ ଓଡ଼ିଶାର ଆଦିବାସୀ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ହେବା ଅତ୍ୟନ୍ତ ସୌଭାଗ୍ୟର ବିଷୟ। ମୁଖ୍ୟମନ୍ତ୍ରୀ ତାଙ୍କୁ ସମର୍ଥନ କରିବା ସାଙ୍ଗକୁ ସମସ୍ତଙ୍କୁ ସମର୍ଥନ ଲାଗି ଅନୁରୋଧ କରିଛନ୍ତି। ସେହି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନରସିଂହ ମିଶ୍ରଙ୍କୁ ସେ ସାକ୍ଷାତ କରିବା ଲାଗି ଯାଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସହ ଟେଲିଫୋନରେ କଥା ହେବା ସାଙ୍ଗକୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି। ଏହାସହ ବିଜେଡିର ସମସ୍ତ ବିଧାୟକ, ମନ୍ତ୍ରୀ, ବିରୋଧୀ ବିଧାୟକ, ପିସିସି ସଭାପତି ସମସ୍ତେ ଏଥିରେ ସମର୍ଥନ ଦେଇ ଭୋଟ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ପ୍ରଣବ କହିଛନ୍ତି। ଅନ୍ୟପଟେ ବବିଙ୍କ ସମେତ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ସୁଶାନ୍ତ ସିଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ମୁର୍ମୁଙ୍କୁ ସମର୍ଥନ ଲାଗି ଅନୁରୋଧ କରିଛନ୍ତି।