ମକର ହାଟରେ ଭିଡ଼

ବାରିପଦା ଅଫିସ/ଉଦଳା/ସାରସକଣା,୧୪ା୧(ଡି.ଏନ.ଏ.): ମକର ପର୍ବ ଲାଗି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲା ଉତ୍ସବମୁଖର ହୋଇଉଠିଛି। ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଜିଲାର ଜନ ସାଧରଣ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଦୂର ଦୂରାନ୍ତରେ ରହୁଥିବା ଲୋକେ ଗାଁକୁ ଫେରି ଆସିଥିବା ଦେଖିବାକୁ ମିଳିଛି। ସାପ୍ତାହିକ ହାଟ ସାଙ୍ଗକୁ ଦୋକାନ ବଜାରରେ ଜନ ଗହଳି ଲାଗି ରହିଥିଲା। ଭିଡ଼କୁ ଦୃଷ୍ଟିରେ ରଖି ଉଦଳା ଥାନା ପକ୍ଷରୁ ଆରଏମସି ମାର୍କେଟ, ମସଜିଦ୍‌ ଛକ, ଚକାଡ଼ୋଳା ମାର୍କେଟ ଆଦି ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା।
କୁଡୁମୀ ମହାନ୍ତ ସମ୍ପ୍ରଦାୟର ଲୋକେ ୩ ଦିନ ଧରି ଏହାକୁ ପାଳନ କରିଥାନ୍ତି। ମକର ସଂକ୍ରାନ୍ତି ଅବସରରେ ଟୁସୁ ଦେବୀଙ୍କ ଆକର୍ଷଣୀୟ ମୃଣ୍ମୟ ପ୍ରତିମା ପୂଜା କରାଯାଇଥାଏ। ଆଦିବାସୀ ସମ୍ପ୍ରଦାୟର ଲୋକେ ଏହି ପର୍ବରେ ମାଂସ, ଭାତ, ଦେଶୀ ପାନୀୟ ଇତ୍ୟାଦିରେ ମାତି ପାରମ୍ପାରିକ ନୃତ୍ୟ ଗୀତ କରିଥାନ୍ତି। କୁକୁଡା ଲଢେଇଠାରୁ ଆରମ୍ଭ କରି ବଣଭୋଜି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆବାଳ ବୃଦ୍ଧବନିତା ମସ୍‌ଗୁଲ ରହିଥାନ୍ତି। ସାରସକଣା ବ୍ଲକରେ ଧୁମଧାମରେ ମକର ପର୍ବ ପାଳନ ପାଇଁ ଲୋକେ ପ୍ରସ୍ତୁତି ଚଳାଇଛନ୍ତି। ଏହି ବ୍ଲକ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସୀମାରେ ଅବସ୍ଥିତ ହୋଇଥିବାରୁ ବହୋରାଗୋଡ଼ା ଓ ପଶ୍ଚିମବଙ୍ଗର ଗୋପୀବଲ୍ଲଭପୁର ଅଞ୍ଚଳରେ ମଧ୍ୟ ମକର ପର୍ବ ପାଳନ କରାଯାଇଥାଏ। ଶୁଖିଲା ତାଳ ବାହୁଙ୍ଗା, ଖଜୁରୀ ଡାଳକୁ ମକର ପୂର୍ବ ଦିନ ଧାଡ଼ିରେ ସଜାଇ ରଖାଯାଇଥାଏ। ଯାହାକୁ କୁମା କୁହାଯାଏ ଏବଂ ଏକ ଘର ଆକୃତି କରାଯାଇଥାଏ ଯାହାକୁ ବୁଢ଼ିକୁମା କୁହାଯାଏ। ମକର ରାତି ସାରା ବାଣ ଫୁଟାଇ ଉପଭୋଗ ଜାରି ରହିଥିଲା ବେଳେ ଭୋର ସମୟରେ ସମସ୍ତ କୁମାରେ ନିଆଁ ଲଗାଇ ଦିଆଯାଏ। ପରେ ନଦୀ, ପୋଖରୀରେ ବୁଡ଼ ଦେଇ ସମସ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି।