ବାବାଙ୍କ ପାଖେ ଲାଗିହେଲା ମକର ପୋଡ଼ପିଠା

ଆରଡି,୧୪।୧(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୁକ୍ରବାର କୋଭିଡ କଟକଣାରେ ମକର ସଂକ୍ରାନ୍ତି ଉପଲକ୍ଷେ ପୂଜାର୍ଚ୍ଚନା କରାଯାଇଥିଲା। ଭୋର ୫ଟାରେ ମନ୍ଦିର ପହଡ ଖୋଲାଯାଇ ମଙ୍ଗଳଆଳତି କରାଯାଇଥିଲା। ପରେ ବାବାଙ୍କର ସ୍ନାନ କୃତ୍ୟ ସମ୍ପନ୍ନ କରାଯାଇ ବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇଥିଲା। ପହିଲି ଭୋଗ ସ୍ବରୂପ ବାବାଙ୍କୁ ମକର ପୋଡ ପିଠା ଅର୍ପଣ କରାଯାଇଥିଲା।

ସେବାୟତମାନେ ବାବାଙ୍କ ନିକଟରେ ଶ୍ରଦ୍ଧା ସ୍ବରୂପ ପୋଡପିଠା ସମର୍ପଣ କରିଥିଲେ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। କୋଭିଡ କଟକଣାରେ ସେବାୟତମାନେ ବାବାଙ୍କ ନୀତିକାନ୍ତି ଶେଷ କରିଥିଲେ । ଏନେଇ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମନୋଜ କୁମାର ପାତ୍ର ସାଧୁବାଦ ଜଣାଇଛନ୍ତି। ପୀଠରେ ପୂର୍ବବର୍ଷ ପରି ଏଥର ମକର ମେଳା ପାଇଁ ଅନୁମତି ମିଳି ନ ଥିଲା  । ଫଳରେ ଦୂରରୁ ଆସୁଥିବା ବ୍ୟବସାୟୀ ନିରାଶ ହୋଇଥିଲେ।