ଭିଜିଲାନ୍ସ ଅଦାଲତର ବଡ଼ ରାୟ: ପୂର୍ବତନ କିରାଣି, ଅବସରପ୍ରାପ୍ତ ଶିକ୍ଷକଙ୍କୁ ୪ ବର୍ଷ ଜେଲ

ନବରଙ୍ଗପୁର, ୧୬।୧୦(ସଦାଶିବ ପ୍ରହରାଜ): ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ବିଧବା ସ୍ତ୍ରୀଙ୍କୁ ପରିବାର ପେନ୍‌ସନ ମଞ୍ଜୁର ପାଇଁ ଲାଞ୍ଚ ଦାବି ଓ ଗ୍ରହଣ କରିବା ମାମଲାରେ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପୂର୍ବତନ କିରାଣି ଓ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ୪ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ହୋଇଛି।

ଉଭୟଙ୍କୁ ଜୟପୁରସ୍ଥିତ ଭିଜିଲାନ୍ସ ସ୍ବତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିବା ସହ ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଦଣ୍ଡାଦେଶ ପରେ ଉଭୟଙ୍କୁ ଜେଲକୁ ପଠାଯାଇଛି। ଅଭିଯୁକ୍ତ ହେଲେ କୋଷାଗୁମୁଡ଼ା ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ପୂର୍ବତନ କନିଷ୍ଠ କିରାଣି ତପନ କୁମାର ଖୋସ୍‌ଲା ଓ ମିରଗାନପଡ଼ା ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ବିଜୟ କୁମାର ସାହୁ।

ତପନ ଏବେ ଡାବୁଗାଁସ୍ଥିତ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ କନିଷ୍ଠ କିରାଣି ଭାବେ କାର୍ଯ୍ୟରତ ଅଛନ୍ତି। ବିଜୟ ଅବସର ନେଇସାରିଥିବା ସୂଚନା ମିଳିଛି। ତପନଙ୍କୁ ଚାକିରିରୁ ବହିଷ୍କାର କରିବା ଏବଂ ଅବସରପ୍ରାପ୍ତ ଶିକ୍ଷକ ବିଜୟଙ୍କ ପେନ୍‌ସନ ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ପଦକ୍ଷେପ ନିଆଯିବ ବୋଲି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Share