ଗଞ୍ଜେଇ ନେଇ ବିହାର ଖସିବା ପୂର୍ବରୁ ପୋଲିସ୍‌ର ସର୍ଜିକାଲ୍ ଷ୍ଟ୍ରାଇକ୍: ବସ୍ ଷ୍ଟାଣ୍ଡ ବିଶ୍ରାମାଗାରରୁ ଯୁବକ ଗିରଫ

ଦାରିଙ୍ଗବାଡ଼ି,୧୪।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା। ଦାରିଙ୍ଗବାଡ଼ି ଅଞ୍ଚଳରୁ ବିହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଚଢ଼ଉ କରି ପୋଲିସ୍ ୨୨ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଜଣକ ହେଲେ ବିହାର ରାଜ୍ୟ ଫତେପୁର ଥାନା ଅଧୀନ ମଞ୍ଜିଗାଁଓର ସୁରେନ୍ଦ୍ର କୁମାର (୨୬)। ଗିରଫ ବ୍ୟକ୍ତିଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ସହ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ନେଇ ଦାରିଙ୍ଗବାଡ଼ି ଥାନା ଆଇଆଇସି (IIC) ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି।

ଗୋପାଳପୁରରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ସିଆଙ୍ଗବାଲି ଛକସ୍ଥିତ ବିଶ୍ରାମାଗାରରେ ଅଭିଯୁକ୍ତ ସୁରେନ୍ଦ୍ର କୁମାର ଗଞ୍ଜେଇ ବସ୍ତା ଧରି ନିଜ ରାଜ୍ୟକୁ ଯିବା ପାଇଁ ଗାଡ଼ିକୁ ଅପେକ୍ଷା କରିଥିଲେ। କୌଣସି ଗୁପ୍ତ ସୂତ୍ରରୁ ଖବର ପାଇ ଆଇଆଇସି ସଂଗ୍ରାମ କେଶରୀ ଜେନା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ମାଡ଼ିବସିଥିଲେ।

ଏ ନେଇ ଦାରିଙ୍ଗବାଡ଼ି ଥାନାରେ ମାମଲା ନଂ ୨୭୪ ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ବେଳେ ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

Share