ଜୟପୁରରେ ବଡ଼ ଧରଣର ଲୁଟ୍‌

ଜୟପୁର,୧୪ା୧୧(ପବନ ପାଣିଗ୍ରାହୀ)- କୋରାପୁଟ ଜିଲା ଜୟପୁର ସହରରେ ଜଣକ ଘର ଭିତରେ ପଶି ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ୧୮ ଲକ୍ଷ ଟଙ୍କା ଲୁଟ୍‌ କରିନେଇଛନ୍ତି।
ସୂଚନାନୁଯାୟୀ, ଶୁକ୍ରବାର ରାତି ୧ଟାରେ ଜୟପୁର ସହର ଲିଙ୍ଗରାଜନଗର ୧୭ ନଂ. ଲାଇନ ବାସିନ୍ଦା ସତ୍ୟନାରାୟଣ ଦଳାଇ ଓ ପରିବାର ଲୋକେ ଶୋଇଥିଲେ। ଏହି ସମୟରେ କେତେଜଣ ଦୁର୍ବୃତ୍ତ ସତ୍ୟନାରାୟଣଙ୍କ ଘରର ପାଚେରି ଡେଇଁ ଆସି କବାଟ ପିଟିଥିଲେ। ସତ୍ୟନାରାୟଣ ଘର କବାଟ ଖୋଲିବା ପରେ ୫ଜଣ ଦୁର୍ବୃତ୍ତ ଘରେ ପଶି ସତ୍ୟନାରାୟଣଙ୍କୁ କାବୁକରି ହାତଗୋଡ଼ ବାନ୍ଧି ମାରଣାସ୍ତ୍ର ଦେଖାଇଥିଲେ।
ଦୁର୍ବୃତ୍ତମାନଙ୍କ ଜଣେ ସହଯୋଗୀ ଘର ବାହାରେ ଅପେକ୍ଷା କରିଥିଲେ। ସତ୍ୟନାରାୟଣଙ୍କ ପାଟି ଶୁଣି ଘରର ଉପର ମହଲାରେ ଶୋଇଥିବା ତାଙ୍କ ପୁଅ ବୋହୂ ତଳକୁ ଆସିଥିଲେ। ସେମାନଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ମାଡ଼ ମାରିଥିଲେ।
 ପରିବାରର ସମସ୍ତ ସଦସ୍ୟଙ୍କୁ ଗୋଟିଏ ସ୍ଥାନରେ ବାନ୍ଧି ଘରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କକୁ ଲୁଟ୍‌ କରିବା ସହ ସମସ୍ତ ଆସବାବପତ୍ର ଭାଙ୍ଗିଥିଲେ। ୩ଟି ଆଲମାରି ଭାଙ୍ଗି ୧୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ୪ଶହ ଗ୍ରାମର ସୁନାଗହଣା, ଠାକୁର ଘରୁ ଅଧା କିଲୋ ଓଜନର ରୁପା ଜିନିଷ ଲୁଟ୍‌ କରିଥିଲେ। ଏହି ସମସ୍ତ ସୁନାଗହଣାର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ସତ୍ୟନାରାୟଣଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି।
ଦୁର୍ବୃତ୍ତମାନେ ଯିବା ପରେ ସତ୍ୟନାରାୟଣ ପୋଲିସକୁ ଫୋନ୍‌ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ। ଜୟପୁର ଟାଉନ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଥାନାରେ ସତ୍ୟନାରାୟଣଙ୍କ ପୁଅ ଦେବୀପ୍ରସାଦ ଲିଖିତ ଅଭିଯୋଗ କରିଛନ୍ତି। ପୂର୍ବରୁ ଦୁର୍ବୃତ୍ତମାନେ ଘର ଉପରେ ନଜର ରଖିଥିବା ସତ୍ୟନାରାୟଣଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି।

Share