କାରଖାନାରେ ବଡ଼ ଧରଣର ବିସ୍ଫୋରଣ: ୫ ମୃତ

ଭରୁଚ,୧୭ା୧୦: ଗୁଜରାଟର ଭରୁଚ ଜିଲାରେ ଥିବା ଏକ ରାସାୟନିକ ଉତ୍ପାଦନ କାରଖାନାରେ ବିସ୍ଫୋରଣ ଘଟି ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୫ ଜଣ ଆହତ ହୋଇଛନ୍ତି।

ଭାଗ୍ରା ତାଲୁକ ଅନ୍ତର୍ଗତ ସେଖା ଜିଆଇଡିସି ଅଞ୍ଚଳରେ ଥିବା ହାଇଡ୍ରୋଜେନେଶନ ପ୍ରୋସେସ୍‌ରେ ଶୁକ୍ରବାର ବିଳମ୍ବିତ ରାତିରେ ବିସ୍ଫୋରଣ ଘଟିବାରୁ ବିଶାକ୍ତ ମିଥାଇଲିନ୍‌ ଡାଇକ୍ଲୋରାଇଡ୍‌ ଗ୍ୟାସ୍‌ ଲିକ୍‌ ହୋଇଥିଲା ବୋଲି ଅଧିକାରୀମାନେ କହିଛନ୍ତି।

ସିନ୍‌ଜିଲ୍‌ ଫାର୍ମାକେମ୍‌ ମାତ୍ର ବର୍ଷେ ହେଲା ସ୍ଥାପନ ହୋଇଥିବାବେଳେ ସେଠାରେ ଫାର୍ମା ଇଣ୍ଟରମିଡିଆରି (ଔଷଧ ପ୍ରସ୍ତୁତିର ମଧ୍ୟବର୍ତ୍ତୀସ୍ତରୀୟ ଉତ୍ପାଦ) ପ୍ରସ୍ତୁତ ହେଉଥିଲା ବୋଲି ଭରୁଚ ଏସ୍‌ଡିଏମ୍‌ ମନିଷା ମନାନି କହିଛନ୍ତି। ହାଇଡ୍ରୋଜେନେଶନ ପ୍ରକ୍ରିୟା ବେଳେ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ଏହା ଏତେ ଶକ୍ତିଶାଳୀ ଥିଲା ଯେ ରିଆକ୍ଟର ଟ୍ୟାଙ୍କ ଓ ମେଶିନ ଅଂଶଗୁଡ଼ିକ ପ୍ଲାଣ୍ଟ ପରିସରରେ ବିଛାଇହୋଇ ପଡ଼ିଥିଲା। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଗୁଜରାଟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଶିଳ୍ପ ସୁରକ୍ଷା ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ (ଡିଆଇଏସ୍‌ଏଚ୍‌) ଏବଂ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Share