Categories: Home Leftଖେଳ

ପ୍ରୋ ଲିଗ୍‌ ପାଇଁ ପୁରୁଷ ହକି ଦଳରେ ହେବ ବଡ଼ ପରିବର୍ତ୍ତନ

ଜଳନ୍ଧର,୩ା୧୧: ୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ୨୦୨୭ରେ ହେବାକୁ ଥିବା ପ୍ରୋ ଲିଗ୍‌ ପାଇଁ ଭାରତୀୟ ପୁରୁଷ ହକି ଦଳରେ ବଡ଼ ଧରଣର ପରିବର୍ତ୍ତନ କରାଯିବ। ଏ ନେଇ ମୁଖ୍ୟ କୋଚ୍‌ କ୍ରେଗ ଫୁଲଟନ ପ୍ରକାଶ କରିଛନ୍ତି। ଫେବୃଆରୀରେ ହେବାକୁ ଥିବା ପ୍ରୋ ଲିଗର ଘରୋଇ ଲେଗ୍‌ରେ ଜର୍ମାନୀ, ଆର୍ଜେଣ୍ଟିନା, ଗ୍ରେଟ୍‌ ବ୍ରିଟେନ ଓ ସ୍ପେନ ଭଳି ଦଳକୁ ଭେଟିବ ଭାରତୀୟ ଦଳ।

ଲିଗ୍‌ ପାଇଁ ନୂଆ ଦଳ ଚୟନ କରିବୁ। ଟ୍ରେନିଂ କରିବା ପାଇଁ ଆମ ପାଖରେ ଖୁବ କମ୍‌ ସମୟ ଅଛି। କାରଣ ଖେଳାଳିମାନେ ସେମାନଙ୍କ ଫ୍ରାଞ୍ଚାଇଜ ପାଇଁ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ରେ ଖେଳିବେ। ପରେ ସେହି ଦଳ ସହ ୨୦୨୭-୨୮ ସାଇକେଲ ଆରମ୍ଭ କରିବୁ ବୋଲି ଫୁଲଟନ କହିଛନ୍ତି।

ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ପରେ ଭାରତ ଚଳିତ ମାସରେ ନ୍ୟୁଜିଲାଣ୍ଡ ଟୁର କରିବ। ୧୯୨୬ରେ ଭାରତୀୟ ହକି ଦଳର ପ୍ରଥମ ନ୍ୟୁଜିଲାଣ୍ଡ ଟୁରର ଶତବାର୍ଷିକୀକୁ ପାଳନ ପାଇଁ ଭାରତ ସେଠାରେ ଏକ ସ୍ବତନ୍ତ୍ର ହକି ଟେଷ୍ଟ ସିରିଜ୍‌ ଖେଳିବ।

ଆସନ୍ତା ୧୯, ୨୧ ଓ ୨୨ ତାରିଖରେ ଅକ୍‌ଲାଣ୍ଡଠାରେ ୩ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏ ସମ୍ପର୍କରେ ଫୁଲଟନ ପ୍ରକାଶ କରିଛନ୍ତି, ନ୍ୟୁଜିଲାଣ୍ଡ ଟୁର ପାଇଁ ଏପର୍ଯ୍ୟନ୍ତ ଖେଳାଳି ଚୟନ କରାଯାଇ ନାହିଁ। ଆଗାମୀ ଦିନରେ ଦଳ ଘୋଷଣା କରାଯିବ।

ପ୍ରତ୍ୟେକ ଦଳକୁ ପରିବର୍ତ୍ତନ ଦରକାର। ଦଳ ୩ ଥର ଏସିଆନ ଚାମ୍ପିୟନ୍ସ ଟ୍ରଫି ଖେଳିଛି। ପ୍ରତ୍ୟେକ ଥର ଦଳ ଭିନ୍ନ ଥିଲା। ୨୦୨୩ରେ ଚେନ୍ନାଇରେ ଖେଳିଥିବା ଦଳ ୨୦୨୪ରେ ହୁଲୁନବୁଇରରେ ଖେଳିଥିବା ଦଳଠାରୁ ଭିନ୍ନ ଥିଲା। ସେବେଠାରୁ ଆମେ ଏପର୍ଯ୍ୟନ୍ତ ୯ ଖେଳାଳି ବଦଳାଇ ସାରିଛୁ। ଏବେକାର ଦଳ ଖୁବ ଭିନ୍ନ ଅଛି। ଏସିଆନ ଦଳଗୁଡ଼ିକ ବିପକ୍ଷରେ
ଖେଳାଳିମାନେ ଭଲ ଗୋଲ ସ୍କୋର କରିବା ସହ ଡିଫେଣ୍ଡ କରୁଛନ୍ତି।

Share