ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି କ୍ରମରେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ଯେ, ଏଣିକି ଖାତାଧାରୀମାନେ ନିଜ ପିଏଫ ବାଲାନ୍ସର ୭୫% ପର୍ଯ୍ୟନ୍ତ ଟଙ୍କା କୌଣସି ବି ସମୟରେ ତୁରନ୍ତ ଉଠାଇ ପାରିବେ।
ତେବେ ଏହି ଘୋଷଣା ପରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ପୂର୍ବ ଭଳି ୧୦୦% ପିଏଫ୍‌ ଟଙ୍କା ଉଠାଇବା ସୁବିଧା ଜାରି ରହିବ ନା ବନ୍ଦ ହୋଇଯିବ? ଏହାର ଉତ୍ତର ହେଉଛି ହଁ, ଜାରି ରହିବ। EPFO ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଜଣେ ସଦସ୍ୟ ନିଜର ଯୋଗ୍ୟ ରାଶିର ୭୫% ଟଙ୍କା କୌଣସି ଦସ୍ତାବିଜ (documents) ବିନା ଯେକୌଣସି ସମୟରେ ଉଠାଇ ପାରିବେ। ଏହା ସହିତ କେତେକ ବିଶେଷ ପରିସ୍ଥିତିରେ ପୂରା ୧୦୦% ଟଙ୍କା ଉଠାଇବାର ସୁବିଧା ମଧ୍ୟ ପୂର୍ବଭଳି ଜାରି ରହିବ।
ବର୍ତ୍ତମାନର ନିୟମ ଅନୁସାରେ, ନିମ୍ନଲିଖିତ ସ୍ଥିତିରେ ସଦସ୍ୟମାନେ ପୂରା ଟଙ୍କା ଉଠାଇ ପାରିବେ:
କମ୍ପାନୀ ବନ୍ଦ ହେଲେ: ଯଦି କମ୍ପାନୀ ୧୫ ଦିନରୁ ଅଧିକ ସମୟ ଧରି ବନ୍ଦ ରହେ ଏବଂ କର୍ମଚାରୀଙ୍କୁ ଦରମା ମିଳୁ ନଥାଏ (ନିଯୁକ୍ତିଦାତାଙ୍କ ପ୍ରମାଣପତ୍ର – ଫର୍ମ A ଓ B ଆବଶ୍ୟକ)।
କୋର୍ଟ ମାମଲା ଥିଲେ: ଚାକିରିରୁ ବାହାର କରିଦେବା କିମ୍ବା ଛଟେଇ ମାମଲା କୋର୍ଟରେ ବିଚାରାଧୀନ ଥିଲେ (କୋର୍ଟ ଆବେଦନର ନକଲ ଆବଶ୍ୟକ)।
୬ ମାସରୁ ଅଧିକ ସମୟ ବନ୍ଦ: ଯଦି କମ୍ପାନୀ ୬ ମାସରୁ ଅଧିକ ସମୟ ଧରି ବନ୍ଦ ଥାଏ ଏବଂ କର୍ମଚାରୀ ବେକାର ଥାନ୍ତି।
ଚିକିତ୍ସା ପାଇଁ: ନିଜର କିମ୍ବା ପରିବାର ସଦସ୍ୟଙ୍କ ଜରୁରୀ ଚିକିତ୍ସା ପାଇଁ (ଡାକ୍ତର ଓ ନିଯୁକ୍ତିଦାତାଙ୍କ ଦ୍ୱାରା ସ୍ବାକ୍ଷରିତ ସାର୍ଟିଫିକେଟ C ଆବଶ୍ୟକ)।
ନୂଆ ନିୟମରେ କ’ଣ ବଦଳିଛି?
ସବୁଠାରୁ ବଡ଼ ପରିବର୍ତ୍ତନ: ପୂର୍ବରୁ ବିଶେଷ ପରିସ୍ଥିତିରେ ପିଏଫ ଟଙ୍କା ଉଠାଇବା ପାଇଁ ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ କିମ୍ବା ବେକାରୀ ଭଳି ର୍ନିଦ୍ଦିଷ୍ଟ କାରଣ ଦର୍ଶାଇବାକୁ ପଡ଼ୁଥିଲା। କାରଣ ସଠିକ ନହେଲେ ଅନେକ ସମୟରେ ଆବେଦନ ଖାରଜ (Reject) ହୋଇଯାଉଥିଲା।
ଏବେ କାରଣ ଶେୟାର୍‌ କରିବା ଜରୁରୀ ନୁହେଁ?
ନୂଆ ନିୟମ ଅନୁସାରେ, ଏହିସବୁ ବିଶେଷ ପରିସ୍ଥିତିରେ ଟଙ୍କା ଉଠାଇବା ପାଇଁ ସଦସ୍ୟମାନଙ୍କୁ କୌଣସି ନିର୍ଦ୍ଧିଷ୍ଟ କାରଣ ଦର୍ଶାଇବାକୁ ପଡ଼ିବ ନାହିଁ। ଆବେଦନକାରୀ ବିନା କାରଣରେ ଏହି ଶ୍ରେଣୀରେ ଆବେଦନ କରିପାରିବେ। ଏହାଦ୍ୱାରା ଆବେଦନ ଖାରଜ ହେବାର ସମ୍ଭାବନା କମିଯିବ ଏବଂ ଲୋକେ ସହଜରେ ନିଜ ପଇସା ପାଇପାରିବେ।
ସରଳ ଭାଷାରେ କହିଲେ, ୧୦୦% ପିଏଫ୍‌ ଟଙ୍କା ଉଠାଇବା ସୁବିଧା ବନ୍ଦ ହୋଇନାହିଁ। EPFO ୩.୦ କେବଳ ଏହାର ପ୍ରକ୍ରିୟାକୁ ଅଧିକ ସହଜ କରିଦେଇଛି। ଏଣିକି ୭୫% ତୁରନ୍ତ ନିକାସି ସହ ବିଶେଷ ପରିସ୍ଥିତିରେ ପୂରା ୧୦୦% ଟଙ୍କା ଉଠାଇବାର ବିକଳ୍ପ ମଧ୍ୟ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିବ।
Dharitri – Odisha’s No.1 Odia Daily

Share