ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ କର୍ଲାପାଟ ପୋଲିସ ସଫଳ ହୋଇଛି। ଏହି ମାମଲାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ୍ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାରପତି ଜେଲ୍ ହାଜତକୁ ପଠାଇ ଦେଇଛନ୍ତି।
ଗତ ସେପ୍ଟେମ୍ବର ୧୦ ତାରିଖ ରାତି ପ୍ରାୟ ୧୦ଟା ସମୟରେ ଆମଝୋଲା ଗ୍ରାମର ସୁନା ମାଝୀଙ୍କ ଘରେ ୫ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ରେ ଆସି ବେଆଇନ ଭାବେ ପଶିଥିଲେ। ସେମାନେ ବନ୍ଧୁକ, ଛୁରୀ ଓ ଟାଙ୍ଗି ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରିବା ସହ ଘରୁ ନଗଦ ୫୦,୦୦୦ ଟଙ୍କା, ଦେଢ଼ ଭରି ସୁନା ଗହଣା ଏବଂ ୩ଟି ମୋବାଇଲ୍ ଫୋନ୍ ଲୁଟି ନେଇ ଚମ୍ପଟ ମାରିଥିଲେ। ଏ ନେଇ ସେପ୍ଟେମ୍ବର ୧୨ ତାରିଖରେ କର୍ଲାପାଟ ଥାନାରେ ଏକ ଲିଖିତ ଏତଲା ଦିଆଯାଇଥିଲା।
ଅଭିଯୋଗ ପାଇବା ପରେ କର୍ଲାପାଟ ଥାନା ଅଧିକାରୀ ଶ୍ରୀକାନ୍ତ କୋଲକାଙ୍କ ନେତୃତ୍ୱରେ ପୋଲିସର ଏକ ବିଶେଷ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଲୁଟ୍ ହୋଇଥିବା ମୋବାଇଲ୍ ଫୋନ୍କୁ ଟ୍ରେସ୍ କରି ପୋଲିସ କୋଷାବରା ଗ୍ରାମରେ ଚଢ଼ାଉ କରି ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ କୋଷାବରା ଗ୍ରାମର ନୀଳାମ୍ବର ନାଏକ (୪୦), ଶଶି ନାଏକ (୨୮), ବିଭୀଷଣ ନାଏକ (୩୫) ଓ ସୁରେନ୍ଦ୍ର ନାଏକ (୩୨)।
ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୩୦,୦୦୦ ଟଙ୍କା, ଗୋଟିଏ ସୁନା ନାକ ଡଣ୍ଡି, ଗୋଟିଏ କାନ ରିଂ, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଛୁରୀ, ୩ଟି ମୋବାଇଲ୍ ଫୋନ୍ ଏବଂ ଲୁଟ୍ରେ ବ୍ୟବହୃତ ଗୋଟିଏ ମୋଟରସାଇକେଲ୍ ଜବତ କରିଛି। ଏ ନେଇ କର୍ଲାପାଟ ଥାନା କେସ୍ ନଂ ୨୫/୨୬, ଭାରତୀୟ ନ୍ୟାୟ ସଂହିତାର ସେକ୍ସନ୍ ୩୩୨(ବି)/୩୧୦(୨) ଏବଂ ଆର୍ମ୍ସ ଆକ୍ଟର ସେକ୍ସନ୍ ୨୫/୨୭ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ପ୍ରଥମେ JMFC କୋର୍ଟରେ ହାଜର କରାଯାଇଥିଲା। ଅନ୍ୟପଟେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି।