ଶିମଲା,୨୩।୧୦: ହିମାଚଳ ପ୍ରଦେଶରେ ଦୀପାବଳି ପୂର୍ବରୁ, ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ରାଜ୍ୟର ୩.୫ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସିମଲାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) ରେ ୫ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚତୁର୍ଥ ଶ୍ରେଣୀ (Class IV) କର୍ମଚାରୀମାନେ ବକେୟା ରାଶି (arrears) ଭାବରେ ଅତିରିକ୍ତ ୧୦,୦୦୦ ଟଙ୍କା ପାଇବେ ଏବଂ ପେନସନଭୋଗୀମାନଙ୍କୁ ମଧ୍ୟ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ।
ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଦୀପାବଳି ଅବସରରେ କର୍ମଚାରୀମାନେ ୪% ମହଙ୍ଗା ଭତ୍ତା ବୃଦ୍ଧି ସହିତ ଗତ ବର୍ଷର ବକେୟା ଥିବା ୧% ମହଙ୍ଗା ଭତ୍ତା ମଧ୍ୟ ପାଇବେ, ଯାହା ମିଶି ମୋଟ ୫% ହେବ।
ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି ଯେ, ଜୟ ରାମ ସରକାର ପାଞ୍ଚ ବର୍ଷ ମଧ୍ୟରେ ୪୩,୨୬୧ କୋଟି ଟଙ୍କା ଋଣ ନେଇଥିଲେ, ଯେତେବେଳେ କି ତାଙ୍କ ନିଜ ସରକାରବର୍ତ୍ତମାନ ସୁଦ୍ଧା୩୭,୭୮୧ କୋଟି ଟଙ୍କା ଋଣ ନେଇଛନ୍ତି। ବର୍ତ୍ତମାନ ହିମାଚଳ ପ୍ରଦେଶ ଉପରେ ୯୯,୫୬୪ କୋଟି ଟଙ୍କାର ଋଣ ରହିଛି। ରାଜ୍ୟର ଋଣ ପରିମାଣ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଯାଇଛି ବୋଲି ଜୟ ରାମ ଠାକୁର କରିଥିବା ଦାବିକୁ ମୁଖ୍ୟମନ୍ତ୍ରୀ ସୁଖୁ ଖଣ୍ଡନ କରିଛନ୍ତି ଏବଂ ଏହାକୁ ଏକ ମିଥ୍ୟା ବୋଲି କହିଛନ୍ତି। ଜନସାଧାରଣଙ୍କ ବିକ୍ଷୋଭ ପ୍ରଦର୍ଶନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ କରିବା ଜନସାଧାରଣ ଏବଂ ସରକାରୀ କର୍ମଚାରୀମାନଙ୍କର ଅଧିକାର ଅଟେ।