୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତିଜଣକ ହେଲେ ତୁରୁମୁଙ୍ଗା ଥାନା ମାନପୁର ଗ୍ରାମର ମନୋହର ମହାନ୍ତ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମନୋହର ଗ୍ରୋସରୀ ସାମଗ୍ରୀ କିଣି ବାଇକ୍‌ ଯୋଗେ ଘରକୁ ଫେରୁଥିବା ସମୟରେ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ କାର୍ ତାଙ୍କ ବାଇକ୍‌କୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୀଷଣ ଥିଲା ଯେ, ନିୟନ୍ତ୍ରଣ ହରାଇ କାରଟି ରାଜପଥ ପାର୍ଶ୍ୱରେ ଥିବା ପ୍ରାୟ ୨୦ ଫୁଟ ଖାଲକୁ ଖସିପଡ଼ିଥିଲା।

ସୂଚନାନୁସାରେ, କାର୍‌ଟିରେ ଠାକୁରମୁଣ୍ଡା ଅଞ୍ଚଳର ଶଳା-ଭିଣୋଇ କୌଣସି ଜରୁରୀ କାମରେ କେନ୍ଦୁଝର ଯାଉଥିଲେ। ତେବେ ଗାଡ଼ିଟି ୨୦ ଫୁଟ ତଳକୁ ଗଳିପଡ଼ିଥିଲେ ହେଁ ସେମାନେ ଉଭୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ତୁରୁମୁଙ୍ଗା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦ୍ୱୟକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily

Share