Categories: ଜାତୀୟ

ମୁଁ ସମୁଦ୍ର, ପୁଣି ଫେରିବି: ଭାଇରାଲ ହେଉଛି ଫଡନବିଶଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୩୦ ।୬: ୨୦୧୯ରେ ଯେତେବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମିଶି ନିର୍ବାଚନ ଲଢିଥିଲେ ସେତେବେଳେ ଅନୁମାନ ଲଗାଯାଇଥିଲା କି ଏହି ଦୁଇ ଦଳ ସରକାର ଗଠନ କରିବେ । ଏମିତିକି ଦେବେନ୍ଦ୍ର ଫଡନବିଶ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିଲା । ହେଲେ ଦୁଇ ଦଳ ମଧ୍ୟରେ ମତ ପାର୍ଥକ୍ୟ ଯୋଗୁ ମେଣ୍ଟ ସରକାର ହୋଇ ପାରିଲା ନାହିଁ । ଶିବସେନା ଚାହୁଁଥିଲା ତାଙ୍କ ଦଳର ପ୍ରାର୍ଥି ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ହେଲେ ଭାଜପା ବଡ ଦଳ ହୋଇଥିବାରୁ ଭାଜପା ଚାହୁଁଥିଲା ତାଙ୍କ ଦଳର ପ୍ରାର୍ଥି ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ହେଲେ ଏହା ସମ୍ଭବ ହେଲା ନାହିଁ ମେଣ୍ଟ ଭାଙ୍ଗିଗଲା । ଏହାପରେ ଏନସିପି ଓ କଂଗ୍ରେସ ଶିବସେନାକୁ ସମର୍ଥନ ଦେଇ ମହାରାଷ୍ଟ୍ରରେ ସରକାର ଗଠନ କରିନେଲେ । ଏହାସହ ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ।
ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଶାୟରି ମାଧ୍ୟମରେ ଶିବସେନାକୁ ଟାର୍ଗେଟ କଲେ । ସେତେବେଳେ ଫଡନବିଶ କହିଥିଲେ ମୋର ପାଣି ଖସିଯାଇଥିବା ଦେଖି ମୋ କୂଳରେ ଘର କରନ୍ତୁ ନାହିଁ, ମୁଁ ସମୁଦ୍ର ପୁଣି ଫେରିବି । ସୂଚନାଯୋଗ୍ୟ, ଯେଉଁଦିନ ମୁଖ୍ୟମନ୍ତ୍ରୀ ପଦରୁ ଫଡନବିଶ ଇସ୍ତଫା ଦେଥିଲେ ସେତେବେଳେ ତାଙ୍କ ପତ୍ନୀ ଅମୃତା ଫଡନବିଶ ବି ଶାୟରି ମାଧ୍ୟମରେ ଫେରିବା କଥା କହିଥିଲେ । ଏବେ ଏହି ପୁରୁଣା କଥା ଭାଇରାଲ ହେବାରେ ଲାଗିଛି । କାରଣ ଫଡନବିଶ ପୁଣିଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ।

Share