ମୁଖ୍ୟ ଅଭିଯୁକ୍ତଙ୍କ ସ୍ତ୍ରୀ ଖୋଲିଲେ ଗୁମର

ନୟାଗଡ଼ ଅଫିସ/ନୂଆଗଁା, ୧୩।୧୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗଁା ଥାନା ମହିପୁର ଫାଣ୍ଡି ଅନ୍ତର୍ଗତ ପଥରପାଟଣା ଗଁାରେ ଘଟିଥିବା ହତ୍ୟାକାଣ୍ଡର ଗୁମର ଫିଟିଛି। ପରକୀୟାରୁ କଟକ ଜିଲା ଲାଲବାଗ୍‌ ଥାନା ସତୀଚଉରା ମହାନ୍ତିପଡ଼ାର ଶୈଳେନ୍ଦ୍ରନାଥ ଜେନାଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିବା ପ୍ରମାଣ ମିଳିଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ପଥରପାଟଣା ଗଁାର ଦୀପୁ ସାହୁ ଓ ତାଙ୍କ ବାପା ତଥା ଅନ୍ୟତମ ଅଭିଯୁକ୍ତ ଭାବ ସାହୁ ଫେରାର ହୋଇଯାଇଛନ୍ତି। ପୋଲିସ ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଦୀପୁଙ୍କ ସ୍ତ୍ରୀ ସୁନୀତା ସାହୁ ଏବଂ ସାଙ୍ଗ ସୁରିଆ ସାହୁଙ୍କୁ ଗିରଫ କରିଛି। ପୋଲିସ ସୁନୀତାଙ୍କଠାରୁ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଥିବାବେଳେ ସହଯୋଗୀ ସୁରିଆଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌ କରାଇ ପ୍ରମାଣ ନଷ୍ଟର ଗୁମର ପାଇଛି। ନୟାଗଡ଼ ଏସ୍‌ଡିପିଓ ଶୁଭେନ୍ଦୁ ସିହ୍ନା, ଡିଏସ୍‌ପି ଦପସ୍ବିନୀ କହଁର, ନୂଆଗାଁ ଥାନା ଅଧିକାରୀ ପୁଷ୍ପଲତା ବେହେରା, ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ତଦନ୍ତ କରି ପାଳ ପାଉଁଶ ଗଦା ଓ ପୋଖରୀରୁ ଅନେକ ହାଡ ଜବତ କରିଛନ୍ତି।
ନୟାଗଡ଼ ଏସ୍‌ପି ଅଲେଖ ଚନ୍ଦ୍ର ପହିଙ୍କ ସୂଚନା ମୁତାବକ ମୁଖ୍ୟ ଅଭିଯୁକ୍ତ ଦୀପୁ ସ୍ତ୍ରୀ ସୁନୀତାଙ୍କ ସହ କଟକରେ ରହି ଦହିବରା ବେପାର କରୁଥିଲେ। ଏହି ସମୟରେ ଶୈଳେନ୍ଦ୍ର ଓ ଦୀପୁଙ୍କ ପରିବାର ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା। ଏଣୁ ଶୈଳେନ୍ଦ୍ର ଦୀପୁଙ୍କ ଘରକୁ ଯିବା ଆସିବା କରୁଥିଲେ। ଏହାକୁ ଦୀପୁ ପରକୀୟା ଭାବି ସନ୍ଦେହ କରୁଥିଲେ। ଏ ନେଇ ଦୁଇ ପରିବାର ମଧ୍ୟରେ ଅନେକ ଥର ଝଗଡ଼ା ହେଉଥିଲା। ତେଣୁ ଶୈଳେନ୍ଦ୍ରଙ୍କୁ ଜୀବନରେ ମାରିଦେବା ପାଇଁ ପୂର୍ବରୁ ଦୀପୁ ଯୋଜନା କରିଥିଲେ। ଗତ ୩ ତାରିଖରେ ଶୈଳେନ୍ଦ୍ର ତାଙ୍କ ସାଙ୍ଗ ଜୟପ୍ରକାଶଙ୍କ ସହ ପଥରପାଟଣା ଗଁାକୁ ଆସିଥିଲେ। ଏହି ସମୟରେ ଦୀପୁ ଶୈଳେନ୍ଦ୍ରଙ୍କୁ ଅପହରଣ କରି ନେଇ ଘରେ ହତ୍ୟା କରିଥିଲେ। ଅନ୍ୟପକ୍ଷରେ ଶୈଳେନ୍ଦ୍ର ଫେରିବାରେ ବିଳମ୍ବ କରିବାରୁ ଜୟପ୍ରକାଶ ଅତିଷ୍ଠ ହୋଇ ପଳାଇ ଯାଇଥିଲେ। ଶୈଳେନ୍ଦ୍ର ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ତାଙ୍କ ସ୍ତ୍ରୀ ସଂଘମିତ୍ରା ମୋବାଇଲ ଫୋନକୁ କଲ୍‌ କରିଥିଲେ। ହେଲେ ଶୈଳେନ୍ଦ୍ରଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଦର୍ଶାଇଥିଲା। କୌଣସି ଖୋଜ ଖବର ନ ମିଳିବାରୁ ସଂଘମିତ୍ରା ଗତ ୪ ତାରିଖରେ କଟକ ଲାଲବାଗ ଥାନାରେ ଅଭିଯୋଗ କରିଥିଲେ। ତେବେ ଶୈଳେନ୍ଦ୍ରଙ୍କ ଫୋନ ନୟାଗଡ଼ର ମହିପୁର ଅଞ୍ଚଳରେ ସୁଇଚ ଅଫ୍‌ ହୋଇଥିବା ପୋଲିସ ଫୋନ ଟ୍ରାକିଂ କରି ଜାଣିବାକୁ ପାଇଥିଲା। ଅନ୍ୟପକ୍ଷେ ଜୟପ୍ରକାଶଙ୍କୁ ପଚରାଉଚୁରା ପରେ ସେମାନେ ପଥରପାଟଣା ଗଁାକୁ ଯାଇଥିବା ଜଣାପଡ଼ିଥିଲା। ଫଳରେ ସଂଘମିତ୍ରା ହତ୍ୟା ସନ୍ଦେହ କରି ନୂଆଗଁା ଥାନାରେ ଗତ ୮ ତାରିଖରେ ଅଭିଯୋଗ କରିଥିଲେ। ନୂଆଗଁା ପୋଲିସ ପ୍ରଥମେ ଦୀପୁଙ୍କ ସ୍ତ୍ରୀ ସୁନୀତା ଏବଂ ସାଙ୍ଗ ସୁରିଆଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏହି ସମୟରେ ଉଭୟେ ହତ୍ୟା ଘଟଣାକୁ ସ୍ବୀକାର କରିଥିଲେ। ୩ ତାରିଖ ରାତିରେ ତାଙ୍କ ପାଖକୁ ଆସିଥିବା ଶୈଳେନ୍ଦ୍ରଙ୍କୁ ଦୀପୁ ପିଟି ପିଟି ମାରିଦେଇଥିବା କଥା ସୁନୀତା ପୋଲିସ ଆଗରେ କହିଥିଲେ। ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ମୃତଦେହକୁ ଦୀପୁ, ସୁରିଆ ଓ ଭାବ ସାହୁ ମିଶି ପୋଡ଼ି ଦେଇଥିଲେ। କିଭଳି ଏବଂ କେଉଁଠାରେ ମୃତଦେହକୁ ପୋଡ଼ାଯାଇଥିଲା, ତାହା ସୁରିଆ ସିନ୍‌ ରିକ୍ରିଏସନ ସମୟରେ ଦେଖାଇଥିଲେ। ସୁରିଆଙ୍କ କହିବା ମୁତାବକ ଶୈଳେନ୍ଦ୍ରଙ୍କୁ ମାରିଦେବା ପରେ ଘର ପଛ ପାଖେ ପୋତିଦେବାର ଯୋଜନା କରାଯାଇଥିଲା। ତେବେ ଘର ନିକଟରେ ପୋତିଲେ ଧରାପଡ଼ିବା ଭୟରେ ସେମାନେ ମୃତଦେହକୁ ବାହାରେ ନଷ୍ଟ କରିବାକୁ ଯୋଜନା କରିଥିଲେ। ତଦନୁଯାୟୀ ନଦୀ ନିକଟ ହରିଡ଼ା ବନ୍ଧ ଗହୀରରେ ଥିବା ପାଳ ଗଦାରେ ମୃତଦେହକୁ ସେମାନେ ପୋଡ଼ି ଦେଇଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ ଅଧାପୋଡ଼ା ହାଡ଼କୁ ଗୁଣ୍ଡ କରି ହରିଡାବନ୍ଧ ପୋଖରୀରେ ଫୋପାଡି ଦେଇଥିଲେ ବୋଲି ସୁରିଆ କହିଥିବା ଏସ୍‌ପି କହିଛନ୍ତି। ୨୦୨/୨୨ନମ୍ବରରେ ମାମଲା ରୁଜୁ ହୋଇ ୨ ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ପୁଣି ତାଙ୍କୁ ପୋଲିସ ସିନ୍‌ ରିକ୍ରିଏସନ କରିବ ବୋଲି ଏସ୍‌ପି କହିଛନ୍ତି।