ହତ୍ୟାର ଡେମୋ ଦେଖାଇଲେ ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୫ା୩: ବ୍ରହ୍ମପୁର ହିଲ୍‌ପାଟଣା ଅଞ୍ଚଳର କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ମୁନଙ୍କୁ ଗୋଷାଣୀନୂଆଗଁା ଥାନା ପୋଲିସ ଗତ ୩ ତାରିଖରୁ ୪ଦିନିଆ ରିମାଣ୍ଡରେ ଆଣି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଛି। ରବିବାର ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନିଆଯାଇ କ୍ରାଇମ୍‌ ସିନ୍‌ ରିକ୍ରିଏଶନ୍‌ କରାଯାଇଥିଲା। ଏସ୍‌ପି ଡା.ଶ୍ରବଣା ବିବେକ୍‌ ଏମ୍‌.ଏହାର ନେତୃତ୍ୱ ନେଇଥିଲେ। ନିଜ ସାଥୀଙ୍କ ସହ କିଭଳି କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା କରିଥିଲେ, ଅଭିଯୁକ୍ତ ତା’ର ଡେମୋ ଦେଖାଇଥିଲେ। ସେହିପରି ଏହି ହତ୍ୟାକାଣ୍ଡ ପାଇଁ କେବେଠୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା ସେହି ସ୍ଥାନ ପୋଲିସକୁ ଦେଖାଇଥିଲେ। ସୋମବାର ଶଙ୍କରଙ୍କ ରିମାଣ୍ଡ ଅବଧି ଶେଷ ହେବ।

ପ୍ରକାଶ ଯେ, ୨୦୨୦ ଜୁନ୍‌ ୧୩ରେ ହିଲପାଟଣାସ୍ଥିତ ଏମ୍‌ଏଭି ସ୍କୁଲ ନିକଟ ହେରିଟେଜ୍‌ ଗୋଦାମରେ କ୍ଷୀର ବ୍ୟବସାୟୀ ଲମ୍ବୋଦରଙ୍କୁ ହତ୍ୟା କରାଯାଇଥିଲା। ଏନେଇ ଗୋଷଣୀନୂଆଗଁା ଥାନାରେ ଏକ ମାମଲା(ନଂ.୮୭/୨୦) ରୁଜୁ ହୋଇଥିଲା। ପୋଲିସ ପର୍ଯ୍ୟାୟ କ୍ରମେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶଙ୍କର ସାହୁ ଘଟଣା ଦିନଠାରୁ ଫେରାର ଥିଲେ। ତେବେ ଏକ ଡକାୟତି ମାମଲାରେ ଢେଙ୍କାନାଳ ସଦର ପୋଲିସ ଦ୍ୱାରା ଜାନୁୟାରୀ ୧୦ ରେ ଗିରଫ ହୋଇଥିଲେ। ସେହିଦିନଠାରୁ ଶଙ୍କର ଢ଼େଙ୍କାନାଳ ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ। ଏହା ଜାଣିବା ପରେ ଗୋଷଣୀନୂଆଗଁା ଥାନା ପୋଲିସ ଶଙ୍କରଙ୍କୁ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାରେ ଯୋଡ଼ିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଟାଉନ ଥାନା ଏସ୍‌ଆଇଙ୍କ ନେତୃତ୍ୱରେ ଏକ ଏସ୍କର୍ଟ ଟିମ୍‌ ଢେଙ୍କାନାଳ ଜେଲରୁ ଶଙ୍କରଙ୍କୁ ଆଣି କୋର୍ଟରେ ହାଜର କରିଥିଲା। ତାଙ୍କୁ ୭ଦିନିିଆ ରିମାଣ୍ଡରେ ନେବାକୁ ପୋଲିସ ଏସ୍‌ଡ଼ିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିଲା। କିନ୍ତୁ ଏସ୍‌ଡ଼ିଜେଏମ୍‌ କୋର୍ଟ ୪ ଦିନିଆ ରିମାଣ୍ଡ ମଞ୍ଜୁର କରିଥିଲେ।