ଘରୁ ଟଙ୍କା ନେଇଗଲେ କାମବାଲି, ସିସିଟିଭି ଫୁଟେଜ୍‌ ଭାଇରାଲ୍‌

ଭୁବନେଶ୍ୱର,୩୦।୧୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଲକ୍ଷ୍ମୀସାଗାର ଥାନା ଅନ୍ତର୍ଗତ ଝାରପଡ଼ା ଜଗନ୍ନାଥନଗରରେ ଜଣଙ୍କ ଘରୁ କାମବାଲି ଟଙ୍କା ଚୋରି କରିଛନ୍ତି। ମହିଳା ଜଣକ ମାଲିକଙ୍କ ବେଡ୍‌ରୁମ୍‌ରେ ଥିବା ଆଲ୍‌ମିଲାରର ଲକର୍‌ ଖୋଲି ଟଙ୍କା ଚୋରି କରୁଥିବାର ସିସିଟିଭି ଫୁଟେଜ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଗତ ରବିବାର ଏହି ଘଟଣା ଘଟିଥିବାବେଳେ ଚୋରି ଟଙ୍କାର ପରିମାଣ ୧୦ ହଜାରରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ତେବେ ଏହି ଘଟଣା ସଂକ୍ରାନ୍ତରେ ଲକ୍ଷ୍ମୀସାଗର ଥାନାରେ ଘର ମାଲିକଙ୍କ ପକ୍ଷରୁ ଏତଲା ଦିଆଯାଇ ନ ଥିବା ଥାନାଧିକାରୀ ଏଲ୍‌. ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି।

ମହିଳା ଜଣକ ଫେବୃୟାରୀରୁ ଉକ୍ତ ମାଲିକଙ୍କ ଘରେ କାମ କରିବା ଆରମ୍ଭ କରିଥିଲେ। ଏଥିପାଇଁ ସେ ମାସିକ ୪ ହଜାର ଟଙ୍କା ନିଅନ୍ତି। ତେବେ ଘର କାମ ପାଇଁ ମାଲିକ କିଛି ନଗଦ ଟଙ୍କା ରଖିଥିବାର ସେ ଜାଣିବାକୁ ପାଇଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ମହିଳା ଜଣକ ଚୋରି କରିବାକୁ ଯୋଜନା କରିଥିଲେ।