ମହୁଲ ଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ଲାଠୋର, ୧୮ା୫(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକର ଜଙ୍ଗଲ ଏବଂ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ମହୁଲ ଫୁଲ, ଫଳ ଏବଂ ମଞ୍ଜି ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ପ୍ରତିବର୍ଷ ସେମାନଙ୍କର ସେହି ଆଶା ନିରାଶରେ ପରିଣତ ହୋଇଥାଏ। ସରକାର ମହୁଲ ଫୁଲ ସହ ସମୁଦାୟ ୧୬୯ ପ୍ରକାର ବନଜାତ ଦ୍ରବ୍ୟକୁ ପଞ୍ଚାୟତ ହାତରେ ନ୍ୟସ୍ତ କରି ତାର ଦର ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ପଞ୍ଚାୟତମାନଙ୍କ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସଂଗ୍ରହକାରୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ସରକାରୀ ନିୟମ ହିସାବରେ ପଞ୍ଚାୟତ ସମିିତି ବୈଠକରେ ଆଲୋଚନା ହେଲାପରେ ପ୍ରତି ପଞ୍ଚାୟତରେ ବୈଠକ ମାଧ୍ୟମରେ ମହୁଲ ଫୁଲର ଦର ନିର୍ଦ୍ଧାରଣ କରି ଉପଜିଲାପାଳଙ୍କୁ ଦେବା କଥା। ଆଉ ସେହି ଦର ହିସାବରେ ବ୍ୟବସାୟୀମାନେ ସଂଗ୍ରହକାରୀଙ୍କଠାରୁ ଉଚିତ ମୂଲ୍ୟ ଦେଇ ଫୁଲ କିଣିବା କଥା। ହେଲେ ଏଠାରେ ତାର ଓଲଟା ନୀତି ଯୋଗୁଁ ବ୍ୟବସାୟୀମାନେ ଗାଁଗାଁରେ ପହଞ୍ଚି ସଂଗ୍ରହକାରୀଙ୍କଠାରୁ ୨୦ରୁ ୨୫ ଟଙ୍କା ଦରରେ ମହୁଲ ଫୁଲ କିଣୁଛନ୍ତି। ହେଲେ ସରପଞ୍ଚମାନଙ୍କୁ ପଚାରିଲେ ଆମ ପାଖରେ ଖବର ନାହିଁ ବୋଲି କହୁଛନ୍ତି। ପୁନଶ୍ଚ ମାପରେ ମଧ୍ୟ ଗଡବଡ କରି ସଂଗ୍ରହକାରୀଙ୍କଠାରୁ ଏକ ପ୍ରକାର ବ୍ୟବସାୟୀମାନେ କୋଟିକୋଟି ଟଙ୍କା ରୋଜଗାର କରଥିବା ବେଳେ ସଂଗ୍ରହକାରୀ ହତାଶ ହେଉଛନ୍ତି। ସଂଗ୍ରହକାରୀମ ଦୀର୍ଘ ୩ରୁ ୪ ମାସ ମଧ୍ୟରେ ହାଡଭଙ୍ଗା ପରିଶ୍ରମ କରି ସପରିବାର ଫୁଲ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ରହିଥିଲେ ସବୁ ପରିଶ୍ରମର ଫଳ ବେପାରି ମାଡକରି ଲାଭବାନ ହେଉଛନ୍ତି। ଅପରପକ୍ଷରେ ଅବକାରୀ ବିଭାଗ ଜରିଆରେ ଲାଇସେନ୍ସ ପାଇଥିବା ବ୍ୟବସାୟୀ ହିଁ ମହୁଲ ଫୁଲ କିଣି ପାରିବେ। ହେଲେ ଅଞ୍ଚଳରେ ମାଳମାଳ ବ୍ୟବସାୟୀ ଗାଁଗାଁରେ ପହଞ୍ଚି ଫୁଲ କିଣୁଥିଲେ ମଧ୍ୟ ସେ ଦିଗରେ ପ୍ରଶାସନ ଅଙ୍କୁଶ ଲଗାଇବାରେ ବିଫଳ ହେଉଥିବା ଦେଖାଯାଉଛି। ପ୍ରତିବର୍ଷ ଫୁଲ କାରବାର ବଢ଼ି ଚାଲିଥିବା ବେଳେ ତା ପ୍ରତି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ବଡ ବ୍ୟବସାୟୀମାନେ ମାଲେ ମାଲ ହେଉଥିବା ବେଳେ ସଂଗ୍ରହକାରୀମାନେ ଶୋଷଣର ଶିକାର ହେଉଛନ୍ତି। ଏଥିରେ ସରକାର ମଧ୍ୟ ରାଜସ୍ବ ହରାଉଛନ୍ତି। ଫୁଲ ସଂଗ୍ରହର ପ୍ରଥମ ମାସରୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କଲେ ସଂଗ୍ରହକାରୀ ଶୋଷଣରୁ ମୁକ୍ତି ପାଇ ପାରିବେ ବୋଲି ମତ ପ୍ରକାଶ ପାଉଛି।