ସିବିଆଇ ଅଫିସରେ ମହିମାନନ୍ଦ ମିଶ୍ର

ଭୁବନେଶ୍ୱର,୫ା୮(ବ୍ୟୁରୋ): ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର ଶୁକ୍ରବାର ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସରେ ହାଜର ହୋଇଛନ୍ତି। ସିବିଆଇ କାହିଁକି ନୋଟିସ କରିଥିଲା, କ’ଣ ପାଇଁ ଡାକିଛି ମୁଁ ଜାଣି ନ ଥିବା କହିଛନ୍ତି ମହିମାନନ୍ଦ। ଆଇନ ଉପରେ ତାଙ୍କର ଯଥେଷ୍ଟ ଭରସା ଅଛି ବୋଲି ସେ କହିଛନ୍ତି।

ସୂଚନାନୁସାରେ, ସିବିଆଇର ଦୁଇଟି ଟିମ୍‌ ଗୁରୁବାର ସକାଳେ ଏକକାଳୀନ ମହିମାନନ୍ଦଙ୍କ କଟକ ଓଡ଼ିଆବଜାରସ୍ଥିତ ଘର ଓ ଲିଙ୍କ୍‌ରୋଡ୍‌ସ୍ଥିତ ଓଏସ୍‌ଏଲ କାର୍ଯ୍ୟାଳୟରେ ଚଢ଼ାଉ ଆରମ୍ଭ କରିଥିଲେ। ଏହି ସମୟରେ ମହିମାନନ୍ଦ ଘରେ ଅନୁପସ୍ଥିତ ଥିବାବେଳେ ତାଙ୍କ ଦୁଇ ପୁଅ ଉପସ୍ଥିତ ଥିଲେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନତମାମ ଚଢ଼ାଉ ଜାରି ରହିଥିଲା। ସିବିଆଇ ଅଧିକାରୀମାନେ ଉଭୟ ସ୍ଥାନରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସମେତ ଚନ୍ଦନଙ୍କୁ ଭୁବନେଶ୍ୱର ସିବିଆଇ ମୁଖ୍ୟାଳୟକୁ ନେଇଯାଇଥିବା ଜଣାପଡ଼ିଛି। ସେହିପରି ପାରାଦୀପରେ ଚଢ଼ାଉ କରି ଚିଫ୍‌ ଇଲେକ୍ଟ୍ରିକାଲ ମେକାନିକାଲ ଇଞ୍ଜିନିୟର(ସିଇଏମ୍‌ଇ) ସରୋଜ କୁମାର ଦାସ ଏବଂ ଠିକା କର୍ମଚାରୀ ସୁମନ୍ତ ରାଉତ(ବନା)ଙ୍କୁ ସିବିଆଇ ନିଜ ହେପାଜତକୁ ନେଇ ପଚରାଉଚରା କରିଥିଲା। ପରେ ସେମାନଙ୍କୁ ଅପରାହ୍ନରେ ଭୁବନେଶ୍ୱର ନିଆଯାଇଥିବା କୁହାଯାଉଛି। ସେହିପରି ସିବିଆଇର ଆଉ ଏକ ଟିମ୍‌ ଅନ୍ୟତମ ପୋର୍ଟ ୟୁଜର କରମ ଚାନ୍ଦ ଥାପ୍ପର(କେସିଟି) କମ୍ପାନୀ ଅଫିସରେ ପ୍ରାୟ ଦୁଇଘଣ୍ଟା କାଗଜପତ୍ର ଯାଞ୍ଚ କରାଯାଇଥିବା ଜଣାପଡ଼ିଛି। ତେବେ ଏନେଇ ସିବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କେସିଟି କମ୍ପାନୀ ବିଦେଶରୁ ଆମଦାନୀ ଭିତ୍ତିକ କୋଇଲା କାରବାର ପାଇଁ ଅଗ୍ରାଧିକାର ପାଇଛି। ଉକ୍ତ କମ୍ପାନୀର ହ୍ୟାଣ୍ଡଲିଂ ଏଜେଣ୍ଟ ଓଏସ୍‌ଏଲ। ଉକ୍ତ କୋଇଲା ପ୍ଲଟ ପାଇଁ ସିଇଏମ୍‌ଇ ସରୋଜ କେସିଟି କମ୍ପାନୀ ଅଧିକାରୀଙ୍କୁ ବିଭିନ୍ନ ସମୟରେ ଲାଞ୍ଚ ମାଗୁଥିଲେ। ଏନେଇ କେସିଟି ସିବିଆଇରେ ଅଭିଯୋଗ କରିବା ପରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ପାରାଦୀପ ସିୱେଜ ଶିପିଂ କମ୍ପାନୀର ଜେନେରାଲ ମ୍ୟାନେଜର ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ମହିମାନନ୍ଦ ଏବଂ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୋଲିସ ବ୍ୟାଙ୍କକ୍‌ର ଏକ ହୋଟେଲରୁ ୨୦୧୬ ଡିସେମ୍ବରରେ ଗିରଫ କରିଥିଲା। ଏହି ଘଟଣାର ୨ ବର୍ଷ ପରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ ମିଳିଥିଲା। ତେବେ ଗୁରୁବାର ଚଢ଼ାଉ ପରେ ମାମଲାର ବିଭିନ୍ନ ଦିଗକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।