Categories: ଜାତୀୟ

ଅନ୍ତର୍ଜାତୀୟ ମହିଳା ଦିବସରେ କୃଷକ ଆନ୍ଦୋଳନର ନେତୃତ୍ୱ ନେବେ ମହିଳା!

ନୂଆଦିଲ୍ଲୀ,୫ ।୩: କେନ୍ଦ୍ର ସରକାରଙ୍କ ନୂଆ କୃଷି ନୀତିକୁ ବିରୋଧ କରି ଗତ ଡିସେମ୍ବରରୁ ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଏହାରି ଭିତରେ ଦୀର୍ଘ ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ବି ଏହାର କୌଣସି ସମାଧାନ ବାହାରି ପାରି ନାହିଁ । ଜାନୁୟାରୀ ୨୬ରେ କୃଷକଙ୍କ ପକ୍ଷରୁ ବାହାରିଥିବା ଟ୍ରାକ୍ଟର ରାଲିକୁ ନେଇ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲେ ବି ଏବେ ପର୍ଯ୍ୟନ୍ତ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଏବେ ଏହି କୃଷକ ଆନ୍ଦୋଳନ ଏକ ଭିନ୍ନ ରୂପ ନେବାକୁ ଯାଉଛି । ଜଣାପଡିଛି ଯେ ମାର୍ଚ୍ଚରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କେବଳ ମହିଳା କୃଷକମାନେ ଏହି ଆନ୍ଦୋଳନର ନେତୃତ୍ୱ ନେବେ । ଅର୍ଥାତ୍ ନୂଆ ଢଙ୍କରେ ବିରୋଧ ପ୍ରଦର୍ଶନ କରିବେ । ଦିଲ୍ଲୀର ଗାଜିପୁର ସୀମାରେ ଆନ୍ଦୋଳନରେ ବସିଥିବା ମହିଳା କୃଷକମାନେ କରିଥିବା ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି କି ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନେ ହାତରେ ମେହେନ୍ଦି ଲଗାଇ ବିରୋଧ ପ୍ରଦର୍ଶନ କରିବେ । ତେବେ ଏହା କୌଣସି ସାଧାରଣ ମେହେନ୍ଦୀ ନୁହେଁ ବରଂ ଇଂକଲାବି ମେହେନ୍ଦି ବୋଲି କୁହାଯାଉଛି । ଏଥିରେ ମହିଳାମାନେ ହାତରେ କୃଷି ଉପକରଣ ଯେମିତିକି ହଳ, ଲଙ୍ଗଳ ଆଦିର ଚିତ୍ର ଆଙ୍କିବେ । ଫସଲ, କ୍ଷେତ ଓ କୃଷକର ସଂଘର୍ଷକୁ ନେଇ ସ୍ଲୋଗାନମାନ ଲେଖିବେ ବୋଲି କହିଛନ୍ତି । ସିନ୍ଧୁ-ଟିକରି ସୀମା, ଗାଜିପୁର ସୀମା ସବୁଠି ମହିଳାମାନେ ସେଦିନ କୃଷକ ଆନ୍ଦୋଳନର ନେତୃତ୍ୱ ନେବେ ବୋଲି ମହିଳା କୃଷକ ନେତା ନବରିତ କୌର ଏକ ସ୍ୱତନ୍ତ୍ର ସାକ୍ଷାତ୍‌କାରରେ କହିଛନ୍ତି ।

Share