ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ତାଲିକାରେ ମହେଶ୍ୱରଙ୍କ ନାଁ ନାହିଁ

ସିମୁଳିଆ,୨୫ା୧(ଡି.ଏନ୍‌.ଏ.): ସମଗ୍ର ଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ। ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ତାଲିକାରେ ନାଁ ନ ଥାଇ ମଧ୍ୟ ୯୩ ବର୍ଷରେ ଚଳ ଚଞ୍ଚଳ ଅଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କୁଟାରୀ ଅଞ୍ଚଳର ମହେଶ୍ୱର ପଣ୍ଡା। ଜାତିରଜନକ ମହାତ୍ମା ଗାନ୍ଧୀଙ୍କ ଡାକରେ ସେ ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ମହାପୁରୁଷ ବିନୋବା ଭାବେଙ୍କ ସହିତ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ। ଏପରିକି ପାଠପଢ଼ା ପରେ ତାଙ୍କୁ ଚାକିରି ଅଫର ମିଳିଥିଲେ ହେଁ ସେ ଦେଶ ସେବା ପାଇଁ ପ୍ରତ୍ୟାଖ୍ୟାନ କରିବା ସହିତ ପରେ ବିଭିନ୍ନ ଦାୟିତ୍ୱର ଅଧିକାରୀ ରହି ଦେଶ, ଜାତି ଓ ସମାଜ ପାଇଁ କାର୍ଯ୍ୟ କରିଥିଲେ। ପରିଣତ ବୟସରେ ମଧ୍ୟ ମହେଶ୍ୱରଙ୍କ କଲମ ଚାଳନା ଜାରି ରହିଛି। ବିନା ଚଷମାରେ ସେ ଲେଖାପଢ଼ା କରୁଛନ୍ତି। ସମାଜ ପାଇଁ ତାଙ୍କ କଲମ ଚାଳନା ଅଦ୍ୟାବଧି ଜାରି ରହିଛି।
ମହେଶ୍ୱର କୁହନ୍ତି, ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ପରେ ବାଲିଖଣ୍ଡ, ବାସୁଦେବପୁର, ସୋର ଓ ପରେ ଭଦ୍ରକ କଲେଜରେ ଯୁକ୍ତଦୁଇ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ପରେ ତାଙ୍କୁ ଶିକ୍ଷକ ଚାକିରି ମିଳିଥିଲେ ହେଁ ସେ ଦେଶସେବା ପାଇଁ ମନା କରିଦେଇଥିଲେ ହେଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହୋଇଥିଲେ। ଶିକ୍ଷକତା ସହିତ ସେ ସରପଞ୍ଚ, ଆର୍‌ଆଇ, ପୋଷ୍ଟ ମାଷ୍ଟର ଦାୟିତ୍ୱ ଏକା ସାଙ୍ଗରେ ତୁଲାଉଥିଲେ। ପୂର୍ବରୁ ୩ ବର୍ଷୀୟା ଇଲେକ୍ସନରେ କୌଣସି ପ୍ରତିଦ୍ୱନ୍ଦ୍ୱୀ ନ ଥାଇ ସେ ଲଗାତର ୩ ଥର ସରପଞ୍ଚ ହୋଇଥିଲେ। ସେହିପରି ଗ୍ରାମାଞ୍ଚଳର କଳହର ସମାଧାନ ପାଇଁ ସେ ଅଦାଲତ ପଞ୍ଚର ସଭାପତି ଦାୟିତ୍ୱ ମଧ୍ୟ ତୁଲାଉଥିଲେ। ବନ୍ଧୁ ସ୍ବର୍ଗତଃ ନବୀନ ପଲାଇଙ୍କ ସହିତ ମିଶି ସେ ସ୍ଥାନୀୟ ଅଞ୍ଚଳରେ ୧୯୬୬ରେ ଦଶଭୂଜା ହାଇସ୍କୁଲ ଓ ସିମୁଳିଆ କଲେଜ ସ୍ଥାପନା କରିଥିଲେ। ମହେଶ୍ୱରଙ୍କର ୪ଟି ପୁସ୍ତକ ପ୍ରକାଶିତ ହେବା ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନ ମଧ୍ୟ ମିଳିଛି। ମହେଶ୍ୱରଙ୍କ ସ୍ତ୍ରୀ କମଳିନୀ ଗତ ୪୪ ବର୍ଷ ପୂର୍ବେ ଆଖି ବୁଜିଥିଲେ। ତାଙ୍କ ପୁତ୍ର ଅଜୟ କୁମାର ପଣ୍ଡା ସୋର କଲେଜର ଅଧ୍ୟକ୍ଷ ଅଛନ୍ତି। ୩ ଜଣ ପୁଅ, ବୋହୂ, ୪ ଝିଅଙ୍କ ସମେତ ବିଭିନ୍ନ ନାତିନାତୁଣୀ ଅଛନ୍ତି। ସମାଜ ପାଇଁ ମହେଶ୍ୱରଙ୍କ ପ୍ରଚେଷ୍ଟା ଆଜି ମଧ୍ୟ ଜାରି ରହିଛି।