ଶିକ୍ଷାଦାନକୁ ବ୍ରତ କରିଥିବା ନିଆରା ମଣିଷ ମହେଶ୍ୱର

ଖଡ଼ିଆଳ,୭ା୯(ସୁଜିତ କୁମାର ପ୍ରଧାନ): ଶିକ୍ଷାଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଜଣେ ନିଆରା ମଣିଷ ହେଉଛନ୍ତି ମହେଶ୍ୱର ରାଉତରାଏ। ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମର ମହେଶ୍ୱର ବିନା ପାରିଶ୍ରମିକରେ ଦୀର୍ଘ ବର୍ଷ ଧରି ଭୀମାଖୋଲ ଗାଁର ପିଲାମାନଙ୍କୁ ପଢାଇ ଆସୁଛନ୍ତି।

ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ସେ ସାଇକେଲ ଚଢି ୩ କିଲୋମିଟର ଦୂର ଭୀମାଖୋଲ ଗାଁରେ ପହଞ୍ଚିଯାନ୍ତି। ଆଉ ତାଙ୍କୁ ଅପେକ୍ଷା କରିଥାଆନ୍ତି ୨୦ରୁ ୨୫ଜଣ କୁନି ଛାତ୍ରୀଛାତ୍ର। ପିଲାଟି ଦିନରୁ ଶିକ୍ଷାଦାନ ପ୍ରତି ତାଙ୍କର ଆଗ୍ରହ ରହିଥିଲା।

ସେ ସମୟରେ ସପ୍ତମ ଶ୍ରେଣୀ ପାସ୍‌ କଲେ ମଧ୍ୟ ଅନେକଙ୍କୁ ସରକାରୀ ଚାକିରି ସୁଯୋଗ ମିଳୁଥିଲା। ହେଲେ ମହେଶ୍ୱରଙ୍କ ମନ ଚାକିରି ପଛରେ ନ ଥିଲା। ତାଙ୍କୁ ଘାରିଥିଲା ଅନ୍ୟମାନଙ୍କୁ ପଢ଼ାଇବାର ନିଶା। ୧୯୬୪ରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାଦାନର ଯାତ୍ରା ଆଜି ବି ଅବ୍ୟାହତ। ଆଜିର ଦିନରେ ଶିକ୍ଷା ଯେତେବେଳେ ଅନେକଙ୍କ ପାଇଁ ବ୍ୟବସାୟର ମାଧ୍ୟମ ପାଲଟିଛି, ସେତେବେଳେ ମହେଶ୍ୱରଙ୍କ ନିଃସ୍ବାର୍ଥ ଶିକ୍ଷାଦାନ ସମାଜ ପାଇଁ ଏକ ବଡ଼ ବାର୍ତ୍ତା। ଟଙ୍କା ପାଇଁ ନୁହେଁ, ପିଲାମାନଙ୍କ ଭବିଷ୍ୟତ ପାଇଁ ପଢ଼ାଏ ବୋଲି ମହେଶ୍ୱର କହିଛନ୍ତି। ଆମେ ସାର୍‌ଙ୍କ ପାଖରୁ ପଢ଼ି ଆଗକୁ ବଢ଼ିବାକୁ ଚାହୁଁଛୁ ବୋଲି ଛାତ୍ରୀଛାତ୍ର କହୁଥିବା ବେଳେ ଆମ ପିଲାମାନଙ୍କ ପାଇଁ ସାର୍‌ ବହୁତ କିଛି କରୁଛନ୍ତି ବୋଲି ଅଭିଭାବକମାନେ କହିଛନ୍ତି।

Share