ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା ରାଜନେତା ତଥା ଏମ୍‌ପି ମହେଶ ସାହୁଙ୍କ ଭବିଷ୍ୟତକୁ ନେଇ ଏବେ ଆଲୋଚନା ଜୋର୍‌ ଧରିଛି। ଢେଙ୍କାନାଳରୁ ପୁନଃ ଏମ୍‌ପି ପ୍ରାର୍ଥୀ ହେବାକୁ ମହେଶ ପୂର୍ବରୁ ଆଶାୟୀ ଥିବା କୁହାଯାଉଥିଲା। ହେଲେ ଦଳ ଏଠାରେ ପ୍ରାର୍ଥୀ ବଦଳାଇଥିବାରୁ ମହେଶଙ୍କ ନିକଟରେ କି କି ବିକଳ୍ପ ରହିଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ସେ ଏହି ସଂସଦୀୟ କ୍ଷେତ୍ରର ଏକ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି।
ଅନୁଗୋଳ ଜିଲା ରାଜନୀତିରେ ମହେଶ ଜଣେ ପୁରୁଖା ନେତା। ୧୯୯୫ ସାଧାରଣ ନିର୍ବାଚନରେ ସେ ଭାଜପା ପକ୍ଷରୁ ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଏହାପରେ ଲଗାତର ୨୦୦୦, ୨୦୦୪ରେ ସେ ଭାଜପା ପ୍ରାର୍ଥୀ ଭାବେ ତାଳଚେରରୁ ଜିତିଥିଲେ। ହେଲେ ୨୦୦୯ରେ ସେ ତାଳଚେରରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ହେଁ ପରାଜୟ ବରଣ କରିଥିଲେ। ୨୦୧୪ରେ ସେ ପାଲଲହଡ଼ା ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟ୍‌ରେ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୯ରେ ବିଜେଡି ତାଙ୍କୁ ଢେଙ୍କାନାଳ ଲୋକ ସଭା କ୍ଷେତ୍ରରେ ପ୍ରାର୍ଥୀ କରିଥିଲା ଓ ସେ ବିପୁଳ ଭୋଟରେ ବିଜୟୀ ମଧ୍ୟ ହୋଇଥିଲେ। ତେଣୁ ଅନୁଗୋଳର ଏହି ବରିଷ୍ଠ ରାଜନେତା ୨୦୨୪ ସାଧାରଣ ନିର୍ବାଚନରେ ପୁଣି ଏମ୍‌ପି ପ୍ରାର୍ଥୀ ହେବେ ବୋଲି ତାଙ୍କ ସମର୍ଥକମାନେ ଆଶାବ୍ୟକ୍ତ କରିଥିଲେ। ହେଲେ ବିଜେଡି ଏଠାରେ ନୂଆ ପ୍ରାର୍ଥୀ ଦେବା ପରେ ମହେଶଙ୍କୁ ଦଳ ବିଧାନସଭା ନିର୍ବାଚନକୁ ଓହ୍ଲାଇବାକୁ ଯୋଜନା କରିଥିବା ସମର୍ଥକମାନେ ଆଲୋଚନା କରୁଛନ୍ତି। ମହେଶ ମଧ୍ୟ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ସେ ତାଳଚେର ନିର୍ବାଚନମଣ୍ଡଳୀରୁ ମଧ୍ୟ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ଦଳ ଅନୁଗୋଳରୁ ଯଦି ପ୍ରାର୍ଥୀ କରେ ତା’ହେଲେ ମହେଶଙ୍କୁ ତାଳଚେର ଆସନ ଛାଡ଼ିବ ବୋଲି ରାଜନୈତିକ ବିଶାରଦମାନେ ଆଶଙ୍କା କରୁଛନ୍ତି। ତାଳଚେର ମହେଶଙ୍କ ରାଜନୈତିକ ଅନ୍ତୁଡ଼ିଶାଳ ହୋଇଥିବାରୁ ଏଠାରେ ତାଙ୍କର ପୁରୁଣା ସଙ୍ଗଠନ ସହ ଲୋକ ସମ୍ପର୍କ ସୁଦୃଢ଼ ରହିଛି। ତେଣୁ ଅନ୍ୟ ନିର୍ବାଚନମଣ୍ଡଳୀ ଅପେକ୍ଷା ତାଳଚେରରୁ ମହେଶଙ୍କୁ ବିଧାନସଭା ନିର୍ବାଚନକୁ ଓହ୍ଲାଇବାକୁ ବିଜେଡି ଉଚିତ ମଣିପାରେ ବୋଲି ସମର୍ଥକମାନେ କୁହାକୁହି ହେଉଛନ୍ତି।