Categories: ଜାତୀୟ

ଶରଦ ପାଓ୍ବାରଙ୍କ ଘରକୁ ଟେକାମାଡ଼

ମୁମ୍ବାଇ,୯।୪ (ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ (ଏମ୍‌ଏସ୍‌ଆର୍‌ଟିସି)ର ଆନ୍ଦୋଳନରତ କର୍ମଚାରୀମାନେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ବାସଭବନରେ ଧସେଇ ପଶିବା ସହ ଟେକା ଓ ଜୋତା ଫିଙ୍ଗିଥିଲେ। ଏମ୍‌ଏସ୍‌ଆର୍‌ଟିସିକୁ ରାଜ୍ୟ ସରକାରରେ ସାମିଲ କରିବା ଦାବିରେ ଉତ୍ତ୍ୟକ୍ତ କର୍ମଚାରୀମାନେ ପ୍ରଥମ ଥର ପାଇଁ ଏଭଳି ହିଂସାତ୍ମକ ଆନ୍ଦୋଳନ କରିଥିଲେ। ସେମାନେ ମହା ବିକାଶ ଅଘାଡ଼ି ସରକାର ଏବଂ ପାଓ୍ବାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପରେ ଆନ୍ଦୋଳନକାରୀଙ୍କ ଏକ ଛୋଟ ଗୋଷ୍ଠୀ ବ୍ୟାରିକେଡ୍‌ ଭାଙ୍ଗି ପାଓ୍ବାରଙ୍କ ସିଲ୍‌ଭର ଓକ୍ସ ବିଲ୍ଡିଂ ନିକଟକୁ ଧାଇଁଯାଇ ଢେଲାମାଡ଼ କରିବା ସହ ଜୋତା ଫିଙ୍ଗିଥିଲେ। ପାଓ୍ବାରଙ୍କ ଝିଅ ତଥା ଏନ୍‌ସିପି ଏମ୍‌ପି ସୁପ୍ରିୟା ସୁଲେ ଆନ୍ଦୋଳନକାରୀଙ୍କ ନିକଟକୁ ଆସି ସେମାନଙ୍କୁ ଶାନ୍ତ ହେବା ଲାଗି ଅନୁରୋଧ କରିଥିଲେ। ବୁଝାମଣା ପାଇଁ ସୁଲେ ସେମାନଙ୍କ ସହ ବସିବେ ବୋଲି କହିବା ସତ୍ତ୍ୱେ ଉତ୍ତେଜିତ ଆନ୍ଦୋଳନକାରୀମାନେ କିଛି ଶୁଣି ନ ଥିଲେ। ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ।
ପାଓ୍ବାରଙ୍କୁ ଜେଡ୍‌-ପ୍ଲସ୍‌ ସୁରକ୍ଷା ମିଳିଥିବାବେଳେ ଏଭଳି ଅଭୂତପୂର୍ବ ଆକ୍ରମଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୃହ ବିଭାଗ ଏନ୍‌ସିପି ମନ୍ତ୍ରୀ ଦିଲୀପ ଓ୍ବାଲ୍‌ସେ ପାଟିଲଙ୍କ ହାତରେ ଥିବାବେଳେ ଗୋଇନ୍ଦା ବିଫଳତାକୁ ନେଇ ପ୍ରଶ୍ନ ଉଠିଛି।

Share