ଅମାନବୀୟ କାଣ୍ଡ! ଯୁବକଙ୍କୁ ଉଲଗ୍ନ କରି ବେଲ୍ଟରେ ପିଟିଲେ, ଗୁପ୍ତାଙ୍ଗରେ ପେଟ୍ରୋଲ ଢାଳି…

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ରର ଲାତୁରରୁ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକଙ୍କୁ ଉଲଗ୍ନ କରି ବେଲ୍ଟ ଓ ଗୋଇଠା-ବିଧା ମାରି ନିର୍ମମ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଯୁବକଙ୍କ ଗୁପ୍ତାଙ୍ଗରେ ପେଟ୍ରୋଲ ଢାଳିଥିବା ମଧ୍ୟ ଅଭିଯୋଗ ରହିଛି। ଅଭିଯୁକ୍ତମାନେ ଏହି ଘଟଣାର ଭିଡିଓ ରେକର୍ଡ କରିଥିବା ବେଳେ, ତାହା ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଭାଇରାଲ୍ ଭିଡିଓରେ ଜଣେ ଯୁବକଙ୍କୁ ଉଲଗ୍ନ ଅବସ୍ଥାରେ ଭୂମିରେ ପକାଇ ଦୁଇ ଜଣ ବ୍ୟକ୍ତି ବେଲ୍ଟରେ ମାଡ଼ ମାରୁଥିବା ଦେଖାଯାଉଥିବା ଦାବି କରାଯାଇଛି । ଏହା ସହ ତାଙ୍କ ଗୁପ୍ତାଙ୍ଗରେ ପେଟ୍ରୋଲ ଢାଳୁଥିବା ଦୃଶ୍ୟ ମଧ୍ୟ ଭିଡିଓରେ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଆକ୍ରମଣ ଯୋଗୁଁ ଯୁବକ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣାପଡ଼ିଛି। ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ, ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଛି। କ୍ରାଇମ୍ ବ୍ରାଞ୍ଚର ଟିମ୍ ମଧ୍ୟ ଏହି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଘଟଣା ଏମ୍‌ଆଇଡିସି ପୋଲିସ ଥାନା ଅଞ୍ଚଳରେ ଘଟିଥିଲା। ପ୍ରାଥମିକ ତଦନ୍ତରୁ ଘଟଣାଟି ଦୁଇ ମାସରୁ ଅଧିକ ସମୟ ପୂର୍ବରୁ ଘଟିଥିବା ଜଣାପଡ଼ିଛି। ଆକ୍ରମଣ ପରେ ପୀଡ଼ିତ ଯୁବକ ସେଠାରୁ ଚାଲିଯାଇଥିଲେ ଏବଂ ପୋଲିସରେ ଅଭିଯୋଗ କରିନଥିଲେ। ଜଣେ ଯୁବକଙ୍କ ସହ ଏଭଳି ଅମାନବୀୟ ବ୍ୟବହାର କରିବା ସହ ଘଟଣାର ଭିଡିଓ ତିଆରି କରି ଭାଇରାଲ୍ କରାଯିବାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ପୋଲିସ ଘଟଣାର ସମସ୍ତ ଦିଗରୁ ତଦନ୍ତ କରୁଥିବା ବେଳେ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି।

 

Dharitri – Odisha’s No.1 Odia Daily

Share