Categories: ଜାତୀୟ

ସିବିଆଇକୁ ମହାରାଷ୍ଟ୍ର ମନା

ମୁମ୍ବାଇ,୨୨ା୧୦: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏଣିକି ମହାରାଷ୍ଟ୍ର ସରକାରଙ୍କ ବିନା ଅନୁମତିରେ ରାଜ୍ୟକୁ ଯାଇ କୌଣସି ମାମଲାର ତଦନ୍ତ କରିପାରିବ ନାହିଁ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବୁଧବାର ସିବିଆଇର ବାଟ ବନ୍ଦ କରିଦେଇଛନ୍ତି।
ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାର ରାଜ୍ୟରେ ମାମଲାଗୁଡ଼ିକର ତଦନ୍ତ ପାଇଁ ସିବିଆଇକୁ ଦିଆଯାଇଥିବା ସାଧାରଣ ସହମତି (ଜେନେରାଲ କନ୍‌ସେଣ୍ଟ)କୁ ପ୍ରତ୍ୟାହାର କରିନେଇଛନ୍ତି। ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ରୁଜୁ କରାଯାଇଥିବା ମାମଲା ଆଧାରରେ ମଙ୍ଗଳବାର ସିବିଆଇ ଟିଆର୍‌ପି ସ୍କାମ୍‌କୁ ନେଇ ଏକ ମାମଲା ଦାଏର କରିଥିଲା। ମୁମ୍ବାଇରେ ମୁଖ୍ୟାଳୟ ଥିବା ରିପବ୍ଲିକ୍‌ ଟିଭିକୁ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଦର୍ଶାଯାଇଛି। ପୂର୍ବରୁ ଏକ ବିଜ୍ଞାପନ କମ୍ପାନୀର ପ୍ରମୋଟରଙ୍କ ପକ୍ଷରୁ ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ଟିଆର୍‌ପି ମାମଲା ଦାଏର କରାଯାଇଥିବାବେଳେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏହାକୁ ସିବିଆଇକୁ ହସ୍ତାନ୍ତର କରିଛନ୍ତି। କେତେକ ନିର୍ଦ୍ଦିଷ୍ଟ ଚ୍ୟାନେଲ ବିଜ୍ଞାପନଦାତାଙ୍କୁ ପ୍ରଲୋଭିତ କରିବା ପାଇଁ ଟଙ୍କା ଖର୍ଚ୍ଚ କରି ଟିଆର୍‌ପିରେ ହେରଫେର କରିଥିବା ସାମ୍ନାକୁ ଆସିବା ପରେ ବ୍ରଡ୍‌କାଷ୍ଟ ଅଡିଆନ୍ସ ରିସର୍ଚ୍ଚ କାଉନ୍ସିଲ (ବିଏଆର୍‌ସି) ଥାନାରେ ଅଭିଯୋଗ କରିଥିଲା। ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଏକ ଖବରଦାତା ସମ୍ମିଳନୀ କରି ରିପବ୍ଲିକ୍‌ ଟିଭି ସମେତ ୩ ଟିଭି ଚ୍ୟାନେଲ ଟିଆର୍‌ପି ସ୍କାମରେ ସମ୍ପୃକ୍ତ ଥିବା ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବାବେଳେ ମଧ୍ୟ ସିବିଆଇକୁ ଦିଆଯାଇଥିବା ସାଧାରଣ ସହମତିକୁ ପ୍ରତ୍ୟାହାର କରିଥିଲେ।

Share