Categories: ଜାତୀୟ

‘କୌଣସି ଝଡ଼ ଆସିବ ନାହିଁ’

ମୁମ୍ବାଇ,୨୧।୬: ମହାରାଷ୍ଟ୍ରର ଉଦ୍ଧବ ସରକାରରେ ଏକ ବଡ ବିଦ୍ରୋହ ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉଛି। ଏମ୍‌ଏଲସି ନିର୍ବାଚନ ଫଳାଫଳ ଆସିବା ପରଠାରୁ ଶିବସେନା ମନ୍ତ୍ରୀ ଏକନାଥ ସିନ୍ଦେ ଦଳ ସହ ଯୋଗାଯୋଗରେ ନାହାଁନ୍ତି। ଶିବସେନାର ବହୁ ସଂଖ୍ୟକ ବିଧାୟକ ଏହି ନିର୍ବାଚନରେ କ୍ରସ ଭୋଟିଂ କରିଛନ୍ତି। ଏହି ବିଧାୟକମାନେ ଏବେ ଏକନାଥଙ୍କ ସହ ଗୁଜରାଟର ସୁରତରେ ଥିବା ଚର୍ଚ୍ଚା ହେଉଛି। ଏହା ଉପରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଉଦ୍ଧବ ଠାକରେ ସରକାରଙ୍କ ଉପରେ କୌଣସି ସଙ୍କଟ ନାହିଁ। ସରକାରଙ୍କ ପାଇଁ ଝଡ଼ ଏବଂ ଭୂମିକମ୍ପ ହେବ ନାହିଁ। ଭାଜପା ପୂର୍ବରୁ ମଧ୍ୟ ଚେଷ୍ଟା କରିଛି, କିନ୍ତୁ ଏଥର ମଧ୍ୟ ଏହା ସଫଳ ହେବ ନାହିଁ। ଖୁବ ଶୀଘ୍ର ସମସ୍ତ ବିଧାୟକ ଫେରିବେ। ସେପଟେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀରେ ସେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଅମିତ ଶାହାଙ୍କ ଭେଟିବାର କାର୍ଯ୍ୟକ୍ରମ ରହିଛି।
ସୋମବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ୧୦ ଆସନରେ ହୋଇଥିବା ବିଧାନ ପରିଷଦ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ଏଥିରେ ଭାଜପାର ୫ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏନ୍‌ସିପି ଓ ସିବସେନାର ୨ ଜଣ ଲେଖାଏ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କଂଗ୍ରେସର ଜଣେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

Share