Categories: ଜାତୀୟ

ହେମା ମାଳିନୀଙ୍କ ଗାଲ ସହ ସଡକକୁ ତୁଳନା କରି କ୍ଷମା ମାଗିଲେ ମନ୍ତ୍ରୀ

ମୁମ୍ବାଇ,୨୦।୧୨: ମହାରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ଗୁଲାବରାଓ ପାଟିଲ ଜଲଗାଓଁ ଜିଲାର ସଡକକୁ ଅଭିନେତ୍ରୀ ହେମା ମାଳିନୀଙ୍କ ଗାଲ ସହ ତୁଳନା କରିବା ନେଇ ବିବାଦ ଉପୁଜିଛି। ତେବେ ରାଜ୍ୟ ମହିଳା ଆୟୋଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପରେ ମନ୍ତ୍ରୀ ତାଙ୍କ ବିବୃତ୍ତି ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ପାଟିଲ କହିଛନ୍ତି, ମୋର ଉଦ୍ଦେଶ୍ୟ କାହାକୁ ଆଘାତ ଦେବା ନ ଥିଲା। ମୋର ମନ୍ତବ୍ୟ ପାଇଁ ମୁଁ କ୍ଷମା ମାଗୁଛି।
ସୂଚନା ମୁତାବକ, ନିକଟରେ ଜିଲାର ବୋଧୱାଡ ପଞ୍ଚାୟତ ନିର୍ବାଚନ ବେଳେ ଏକ ରାଲିକୁ ସମ୍ବୋଧନ କରିଥିଲେ ମନ୍ତ୍ରୀ। ଏହି ସମୟରେ ଭାଷଣ ଦେବା ବେଳେ ପାଟିଲ ତାଙ୍କ ବିରୋଧୀଙ୍କୁ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବାକୁ ଏବଂ ସେଠାରେ ଭଲ ଗୁଣାତ୍ମକ ସଡକ ଦେଖିବାକୁ କହିଥିଲେ। ବହୁ ବର୍ଷ ଧରି ଜାଲଗାଓଁ ଆସନରୁ ବିଧାୟକ ଥିବା ପୂର୍ବତନ ଭାଜପା ନେତା ଏକନାଥ ଖଡସେଙ୍କ ଉପରେ ଟାର୍ଗେଟ କରି ରାଜ୍ୟ ଜଳ ଯୋଗାଣ ମନ୍ତ୍ରୀ ପାଟିଲ କହିଥିଲେ, ଯେଉଁମାନେ ୩୦ ବର୍ଷ ଧରି ବିଧାୟକ ଥିଲେ ସେମାନେ ମୋ ବିଧାନସଭା ନିର୍ବାଚନମଣ୍ଡଳୀକୁ ଆସି ରାସ୍ତା ଦେଖିବା ଉଚିତ୍। ଯଦି ଏହି ସଡକ ହେମା ମାଳିନୀଙ୍କ ଗାଲ ଭଳି ସମାନ ହୋଇ ନ ଥିବ ତେବେ ମୁଁ ଇସ୍ତଫା ଦେବି। ଏହାପରେ ପାଟିଲଙ୍କ ଏଭଳି ମନ୍ତବ୍ୟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

Share