Categories: ଜାତୀୟ

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ: ଫଡନବିସ୍‌ଙ୍କୁ ଗୃହ, ଅର୍ଥ ମନ୍ତ୍ରଣାଳୟ

ମୁମ୍ବାଇ,୧୪।୮: ମହାରାଷ୍ଟ୍ରରେ ଦୀର୍ଘ ଦିନର ଅପେକ୍ଷା ପରେ ରବିବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରାଜ୍ୟ କ୍ୟାବିନେଟରେ ନବ ନିଯୁକ୍ତ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏମଆରଡିସି ଏବଂ ନଗର ଉନ୍ନୟନ ବିଭାଗର ଦାୟିତ୍ୱ ନିଜ ପାଖରେ ରଖିଥିବାବେଳେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଗୃହ ଓ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ପାଇଛନ୍ତି।
୪୦ ଦିନର ଅପେକ୍ଷା ପରେ ଗତ ମଙ୍ଗଳବାର ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ସରକାରଙ୍କ ବହୁ ପ୍ରତୀକ୍ଷିତ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଥିଲା। ମୋଟ ୧୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ। ଏହା ସହିତ ମହାରାଷ୍ଟ୍ର କ୍ୟାବିନେଟରେ ସଦସ୍ୟଙ୍କ ସଂଖ୍ୟା ୨୦ ହୋଇଥିଲା। ଶିନ୍ଦେ ଗୋଷ୍ଠୀ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)ରୁ ଯଥାକ୍ରମେ ନଅ ଜଣ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି।
ସୂଚନାଯୋଗ୍ୟ, ଶିବସେନାରେ ବିଦ୍ରୋହ ଯୋଗୁ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଜୁନ୍‌ ୩୦ରେ ଶିନ୍ଦେ ଏବଂ ଫଡ୍‌ନବିସ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Share