ମହାରାଷ୍ଟ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଜେଲ ଟୁରିଜିମ: ସାଧାରଣ ଜନତା ବିନା ଅପରାଧରେ ପାଇବେ ଜେଲ୍‌ର ଅନୁଭୁତି!

ମୁମ୍ବାଇ,୨୫ ।୧: ଜେଲ୍ ଯିବାକୁ ସମସ୍ତେ ସାଧରଣତଃ ନିଚ୍ଚ ଦୃଷ୍ଟିରେ ଦେଖିଥାଆନ୍ତି । ଆଉ ଯେଉଁମାନେ ଜେଲ୍ ଯାଆନ୍ତି ସେମାନଙ୍କୁ ସମାଜରେ ବଦନାମ ହେବାକୁ ପଡିଥାଏ । ହେଲେ ଏବେ ଜେଲ ଯିବାକୁ ନେଇ ଲୋକଙ୍କର ଚିନ୍ତାଧାରା ବଦଳିବାକୁ ଯାଉଛି । ଏବେ ସାଧାରଣ ଜନତା ଜେଲର ଅନୁଭୁତି ପାଇବାକୁ ହେଲେ କୌଣସି ଅପରାଧ କରିବା ଦରକାର ନାହିଁ । ମନ ଖୁସିରେ ଏମାନେ ଜେଲ ଯାଇ ଜେଲ ରୁଟିର ସ୍ୱାଦ ମଧ୍ୟ ଚାଖି ପାରିବେ । ସୂଚନାଯୋଗ୍ୟ, ମହାରାଷ୍ଟ୍ର ସରକାର ‘ଜେଲ ଟୁରିଜିମ’ର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ଯାହା ଜାନୁୟାରୀ ୨୬ରେ ଆରମ୍ଭ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ସାଧାରଣତନ୍ତ୍ର ଦିବସରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପୁଣେର ୟରୱାଦା ଜେଲରେ ‘ଜେଲ ଟୁରିଜିମ’ର ଶୁଭାରମ୍ଭ କରିବେ । ଅନିଲ ଦେଶମୁଖଙ୍କ କହିବା କଥା ହେଲା ମହାରାଷ୍ଟ୍ରରେ ଜେଲ ପର୍ଯ୍ୟଟନର ଆରମ୍ଭ ୟରୱାଦା ଜେଲରୁ କରାଯିବ । କାରଣ ଏହି ଜେଲ ସ୍ୱାଧିନତା ପୂର୍ବରୁ ଏବଂ ପରେ ବହୁ ଐତିହାସିକ ଘଟଣାର ମୁକସାକ୍ଷୀ ରହିଛି ।

Share