ବିନା ମାସ୍କରେ ନଜର ଆସିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୦।୮: ଦୀର୍ଘ ସମୟରୁ ମହାରାଷ୍ଟ୍ର ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ଭାବେ ରହିଥିବା ବେଳେ ଏଠାରେ କୋଭିଡ-୧୯ର କଡ଼ା ନିୟମ ମଧ୍ୟ ପାଳନ କରାଯାଉଥିଲା। ବର୍ତ୍ତମାନ ମହାରାଷ୍ଟ୍ରରେ ଦୈନିକ କରୋନା ସଂକ୍ରମଣ ମାମଲା ପ୍ରାୟ ୬ରୁ ୭ହଜାର ତଳକୁ ଖସି ଆସିଛି। ମୁମ୍ବାଇରେ ମଧ୍ୟ କୋଭିଡ ମାମଲା ଯଥେଷ୍ଟ ହ୍ରାସ ପାଇବାରେ ଲାଗିଛି। ଅଗଷ୍ଟ ୧୫ରୁ ସମସ୍ତ ଲୋକଙ୍କୁ ସ୍ଥାନୀୟ ଟ୍ରେନ୍‌ରେ ଟିକାକରଣ କରିବାକୁ ଅନୁମତି ଦିଆଯାଇଛି। ଇତିମଧ୍ୟରେ କରୋନା କାଳରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜେ ଏକ କାର୍ଯ୍ୟକ୍ରମରେ ଫେସ୍‌ ମାସ୍କ ନ ପିନ୍ଧି ଲୋକଙ୍କୁ ସମ୍ବୋଧିତ କରିଥିବା ଦେଖିବାକୁ ମିଳିଛି। ଯେଉଁଠାରେ କୋଭିଡ-୧୯ର ପ୍ରୋଟୋକଲ୍‌ ଅନୁସାରେ ଫେସ୍‌ ମାସ୍କ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ ସେଠାରେ ନିଜେ ମୁଖ୍ୟମନ୍ତ୍ରୀ ଏହି ନିୟମ ଭାଙ୍ଗିଛନ୍ତି। କରୋନା ସଂକ୍ରମଣ ବ୍ୟାପିବା ପରେ ଦେଶରେ ୨୦୨୦ ମାର୍ଚ୍ଚ ପରଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମ ଲାଗୁ କରାଯାଇଛି। ଏଭଳି ପରିସ୍ଥିତିରେ ରାଜ୍ୟର ମୁଖ୍ୟଙ୍କ ଏଭଳି ଆଚରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ମୁମ୍ବାଇରୁ ୨୦୦କିଲୋମିଟର ଦୂର ନାସିକ ଜିଲାରେ ଆୟୋଜିତ ହୋଇଥିବା ଏକ ସମାରୋହରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯୋଗଦେଇ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ସମୟରେ ଏକ ବିରାଟ ଜନସମାଗମ ମଧ୍ୟ ହୋଇଥିଲା। ଏଥିରେ ଉଦ୍ଧବ ଠାକରେ କହିଛନ୍ତି, ଏହା ହେଉଛି ତାଙ୍କର ପ୍ରଥମ ସର୍ବସାଧାରଣ କାର୍ଯ୍ୟକ୍ରମ। ଯେଉଁଠାରେ ସେ ବିନା ଫେସ୍‌ ମାସ୍କରେ ଲୋକଙ୍କୁ ସମ୍ବୋଧିତ କରୁଛନ୍ତି। ପ୍ରଥମ ଥର ପାଇଁ ସେ ନିଜ ମୁହଁକୁ ଢ଼ାଙ୍କି ନାହାନ୍ତି ବୋଲି ଉଦ୍ଧବ କହିଛନ୍ତି। ସେହିପରି ମହାରାଷ୍ଟ୍ର ପୋଲିସ ଏକାଡେମୀର ଏକ କାର୍ଯ୍ୟକ୍ରମରେ ଉଦ୍ଧବ ଠାକରେ କହିଛନ୍ତି, ରାଜ୍ୟ ପୋଲିସ ଭାଇଚାରା ସହ ଦେଶର ଗୌରବ ବଢ଼ାଇବାର କାମ କରିଛି। ତେବେ ପରିବର୍ତ୍ତିତ ସମୟ ସହିତ ସେମାନଙ୍କ ପାଇଁ ଅତ୍ୟାଧୁନିକ ତାଲିମ ଆୟୋଜନ କରାଯିବ ବୋଲି ଠାକରେ କହିଛନ୍ତି।

Share