Categories: ଜାତୀୟ

ଆରଏସ୍‌ଏସ୍‌ କାର୍ଯ୍ୟାଳୟ ବାହାରେ ରେକି କରୁଥିବା ଆତଙ୍କବାଦୀ ଗିରଫ

ନାଗପୁର,୧୮।୫: ନାଗପୁରର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ(ଆରଏସ୍‌ଏସ୍‌) କାର୍ଯ୍ୟାଳୟରେ ରେକି କରିଥିବା ଘଟଣାରେ ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ବାଡ(ଏଟିଏସ୍‌) ଜଣେ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ଅଓ୍ବନ୍ତିପୋରାରୁ ଗିରଫ କରିଛି। ଗିରଫ ହୋଇଥିବା ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ସଂଗଠନର ରଇସ ଅହମଦ ଅସଦୁଲ୍ଲାହ ଶେଖ୍‌ ବୋଲି ଜଣାପଡ଼ିଛି। ଆତଙ୍କବାଦୀ ରଇସ ଅହମଦ ଅସଦୁଲ୍ଲାହ ଶେଖ୍‌ ଡକ୍ଟର ହେଡ୍‌ଗେୱାର ସ୍ମୃତି ଭବନ ପରିସରରେ ରେକି କରିଥିଲେ। ଜମ୍ମୁ-କଶ୍ମୀର ପୋଲିସର ପ୍ରଡକ୍ସନ ୱାରେଣ୍ଟରେ ନାଗପୁର ଏଟିଏସ୍‌ ତାଙ୍କୁ ଅଟକ ରଖିଛି। ସୂଚନାଯୋଗ୍ୟ, ଗତ ବର୍ଷ ଜୁଲାଇରେ ରଇସ ଅହମ୍ମଦ ନାଗପୁରକୁ ଆସି ଡକ୍ଟର ହେଡ୍‌ଗେୱାର ସ୍ମୃତି ଭବନ ପରିସର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରେକି କରିଥିଲେ। ଏହାପରେ ଜମ୍ମୁ-କଶ୍ମୀର ପୋଲିସ ତାଙ୍କୁ ଗିରଫ କରିଥିଲା। ଜମ୍ମୁ-କଶ୍ମୀର ପୋଲିସର ପଚରାଉଚରା ସମୟରେ ଜଣାପଡିଥିଲା ଯେ, ପାକିସ୍ତାନର ଜୈଶ ସଂଗଠନରେ ଥିବା ମୁଖିଆଙ୍କ ନିର୍ଦ୍ଦେଶରେ ରଇସ ନାଗପୁରରେ ରେକି କରିଥିଲେ। ଏହାପରେ ନାଗପୁର ପୋଲିସର ଅଧିକାରୀମାନେ ମଧ୍ୟ କଶ୍ମୀର ଯାଇ ତାଙ୍କୁ ପଚରାଉଚରା କରିଥିଲେ। ବର୍ତ୍ତମାନ ଅଧିକ ଯାଞ୍ଚ ପାଇଁ ନାଗପୁରର ଏଟିଏସ୍‌ ୟୁନିଟ ଦ୍ୱାରା ରଇସଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି।

Share