ମହାପ୍ରୟାଣ ଗାଡି ଥିବା ସତ୍ତ୍ୱେ ବାଇକ୍‌ରେ ବୁହା ହେଲା ଛାତ୍ରୀଙ୍କ ମୃତଦେହ

କେନ୍ଦ୍ରାପଡା ଅଫିସ,୫।୪:କେନ୍ଦ୍ରାପଡା ସ୍ବାସ୍ଥ୍ୟ ବିଭାଗ ଅବହେଳାର ଅନ୍ୟ ଏକ ଚିତ୍ର ମଙ୍ଗଳବାର ଦେଖିବାକୁ ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡି ଥିବା ସତ୍ତ୍ୱେ ଜଣେ ୭ ବର୍ଷର ଛାତ୍ରୀଙ୍କ ମୃତଦେହକୁ ୨୦ କିଲୋମିଟର ଦୂର ଗାଁକୁ ବାଇକ୍‌ରେ ପରିବାରର ଲୋକେ ନେଇଛନ୍ତି।
ସୂଚନାଯୋଗ୍ୟ, ଡେରାବିଷ ଥାନା ଛଚିଣା ଗ୍ରାମର ସୁନାକର କାଣ୍ଡିଙ୍କ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଝିଅ ବୈଶାଖୀଙ୍କୁ ସକାଳେ ଏକ ସାପ କାମୁଡ ଦେଇଥିଲା ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଏଥିସହିତ ପୋଲିସ ସହାୟତାରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା। ମୃତଦେହ ନେବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯୋଗାଯୋଗ କରିଥିଲେ ମଧ୍ୟ ମହାପ୍ରୟାଣ ପାଇଁ ଅର୍ଥ ଦାବି ହୋଇଥିଲା ବୋଲି ସୁନାକରଙ୍କ ସାନଭାଇ କହିଛନ୍ତି । ଗରିବ ପରିବାର ଅର୍ଥ ଯୋଗାଡ କରି ପାରି ନ ଥିବାରୁ ମଟରସାଇକେଲରେ ନେଇଥିଲୁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଏଡିଏମଓ କିଶୋର ଚନ୍ଦ୍ର ମିଶ୍ର କହିଛନ୍ତି ଯେ, ସମ୍ପୃକ୍ତ ପରିବାର ସଦସ୍ୟ ମୃତଦେହ ପରିବହନ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି। ତେବେ ଘଟଣା ସମ୍ପର୍କରେ ଅନୁଧ୍ୟାନ ହେବ ବୋଲି ଏଡିଏମଓ ମିଶ୍ର କହିଛନ୍ତି ।