ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ

ପୁରୀ ଅଫିସ, ୧୪ା୧: ମକର ସଂକ୍ରାନ୍ତି ପୂର୍ବଦିନ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଲାଣ ଓ ଫୁଲ ମେଲାଣ ଉତ୍ସବ ସମ୍ପନ୍ନ ହୋଇଛି। ଖୁଣ୍ଟିଆ ଓ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ସନ୍ଧ୍ୟା ଆଳତି ବେଶରେ ମାଳଚୂଳମାନ ଲାଗିକରିଥିଲେ। ବଡ଼ସିଂହାର ବେଶରେ ସୋଲ ଓ ଜରି, କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର, ହଳ, ମୂଷଳ, କୁଣ୍ଡଳ, ତଡ଼ଗୀ ଇତ୍ୟାଦି ତିନି ଠାକୁରଙ୍କୁ ଲାଗିକରାଯାଇଥିଲା। ଏହି ବେଶରେ ଶ୍ରୀଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ, ଶଙ୍ଖ, ଚକ୍ର, ହଳ, ମୂଷଳ ଇତ୍ୟାଦି ଧାରଣ କରିଥିଲେ। ଏହା ନବାଙ୍କ ବେଶ ରୂପେ ପରିଚିତ। ଏହି ବେଶର ପ୍ରବର୍ତ୍ତକ ହେଉଛନ୍ତି ଶ୍ରୀଚୈତନ୍ୟ ଦେବ।
ସନ୍ଧ୍ୟା ଆଳତି, ଧୂପ ଓ ଚନ୍ଦନଲାଗି ସରିବା ପରେ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥିଲା। ପର୍ବଯାତ୍ରା ଯୋଗାଣିଆ ସେବକ ତିନିଟି ବାଉଁଶିଆରେ ଚାଉଳ ପୂରାଇ କୋଠ ସୁଆଁସିଆ ଦେଇଥିବା ଭଦ୍ରାସନ ଉପରେ ପୂଜାପଣ୍ଡା ମୁରୁଜ ପକାଇବା ପରେ ତାହା ଉପରେ ଚାଉଳ ବାଉଁଶିଆ ରଖି ଚେମେଡ଼ି, ପତନୀ, ପୁଷ୍ପ ଚନ୍ଦନ ଦେଇ ଅଧିବାସ ହୋଇଥିଲା। ଭୋଗମଣ୍ଡପ ଗୃହକୁ ତଢାଉ ସେବକ ମୁଦ ଦେଇଥିଲେ। ବଡ଼ସିଂହାର ବେଶରେ ମହାପ୍ରଭୁଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଥିଲା। ଚିତା, ଗୁଣା, କରପଲ୍ଲବ, ଅଧରମାଳା ଓ ଶ୍ରୀପୟର ମାଳା ଗେଣ୍ଡୁଫୁଲରେ ନିର୍ମିତ ହୋଇଥିଲା। ଗେଣ୍ଡୁ ଓ ଗୋଲାପ ଫୁଲର ସମ୍ମିଶ୍ରଣରେ ହୃଦ ପଦକ ତିଆରି ହୋଇଥିଲା। ବଡ଼ସିଂହାର ଭୋଗ ପରେ ମଦନମୋହନ ଦକ୍ଷିଣଘରୁ ବିଜେ ହୋଇ ରତ୍ନସିଂହାସନକୁ ଆସିଥିଲେ। ପାଳିଆ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନଙ୍କୁ ପ୍ରଦାନ କରିଥିଲେ। ରତ୍ନସିଂହାସନକୁ ସାଢ଼େ ଚାରିଥର ପ୍ରଦକ୍ଷିଣ କରି ବଟମୂଳସ୍ଥିତ ପାଲିଙ୍କିରେ ବିଜେ କରିଥିଲେ। ପରେ ଶ୍ରୀମନ୍ଦିର ଚାରିପଟେ ସାଢେ ଚାରିଥର ପ୍ରଦକ୍ଷିଣ କରିଥିଲେ। ମଦନମୋହନଙ୍କୁ ମହାଜନ ସେବାୟତ ହାତରେ ବିଜେ କରାଇ ଜୟବିଜୟ ଦ୍ୱାର ଲଣ୍ଡାବର୍ତ୍ତ ଉପରେ ଥିବାବେଳେ ପ୍ରସାଦ ଲାଗି, ବନ୍ଦାପନା ଆଦି ହୋଇଥିଲା। ମଦନମୋହନ ଦକ୍ଷିଣଘରକୁ ବାହୁଡ଼ା ବିଜେ କରିଥିଲେ।